ବଲାଙ୍ଗିର, (କେପିଏନ୍ଏସ୍) : ଏ ଅଂଚଳର ବିକାଶ ପାଇଁ ରାଜନୈତିକ ପରିବାରବାଦକୁ ବିଲୋପ କରିବାକୁ ପଡ଼ିବ ବୋଲି ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି କୋଶଲ ରାଜ୍ୟ ସମନ୍ୱୟ କମିଟିର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର । ବଲାଙ୍ଗିର ଜିଲ୍ଲାର ରାଜନୈତିକ ପରିବାରମାନେ ପୋଷ୍ଟର୍ ଯୁଦ୍ଧ ବନ୍ଦ କରନ୍ତୁ ବୋଲି କହିବା ସହ ଏ ଜିଲ୍ଲାର ରାଜନୈତିକ ପରିବାରମାନେ କେବଳ ନିଜର ପରିବାରର ପ୍ରତିପତ୍ତି ଓ ସମ୍ପତ୍ତିର ବିକାଶ କରିଛନ୍ତି ବୋଲି ଶ୍ରୀ ମିଶ୍ର ଖୋଲମ୍ଖୋଲା କହିଛନ୍ତି । କୋଶଲ ଆନ୍ଦୋଳନକୁ ରାଜନୈତିକ ଲଞ୍ଚପେଡ଼୍ ହିସାବରେ ବ୍ୟବହାର କରୁଥିବା ଲୋକଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ମଧ୍ୟ କେଏସ୍ସିସି ଅଧ୍ୟକ୍ଷ ଶ୍ରୀ ମିଶ୍ର ଆହ୍ୱାନ କରିଛନ୍ତି । କୋଶଲ ଆନ୍ଦୋଳନ ପାଇଁ ସବୁ ରାଜନୈତିକ ଦଳ ସମାନ, ତେଣୁ କୌଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳର ହାତବାରିସୀ ରୂପେ କାମ କରନ୍ତୁ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେ କହିଛନ୍ତି ଯେ, କୋଶଲ ଅଂଚଳ ବିଶେଷ କରି ବଲାଙ୍ଗିର ଜିଲ୍ଲା ଓ ସୁବର୍ଣ୍ଣପୁର ଜିଲ୍ଲାରେ ଆବଶ୍ୟକୀୟ ବିକାଶ ହୋଇପାରିନାହିଁ । ଏଥିପାଇଁ ଏ ଅଂଚଳର ରାଜନୈତିକ ପରିବାରମାନେ ଦାୟୀ । ଗତ ୩ ଦଶନ୍ଧି ହେଲା ଅବିଭକ୍ତ ବଲାଙ୍ଗିର ଜିଲ୍ଲା ଉଗ୍ର ପରିବାରବାଦ ଦ୍ୱାରା କବଳିତ । ସବୁ ମୁଖ୍ୟ ରାଜନୈତିକ ଦଳମାନେ କିଛି ନିର୍ଦ୍ଧିଷ୍ଟ ରାଜନୈତିକ ପରିବାର ହାତରେ ବନ୍ଧା ପଡ଼ିଛନ୍ତି । ଗତ ୩ ଦଶକ ଧରି ଏହି ଉଭୟ ଜିଲ୍ଲାକୁ ଲୁଣ୍ଠନ କରି ସାରିବା ପରେ ପରିବାରର ମୁଖିଆମାନେ ନିଜ ନିଜ ପୁଅମାନଙ୍କୁ ଧରି ଭୋଟ୍ ବଜାରରେ ଲଢ଼ୁଥିବା ସେ କହିଛନ୍ତି । କେଏସ୍ସିସି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି ଯେ, ଏବେ ବଲାଙ୍ଗିରରେ ଫ୍ଲେକ୍ସ ବେନର୍ ଯୁଦ୍ଧ ଚାଲିଛି । ପୋଷ୍ଟର ମାଧ୍ୟମରେ କେଉଁ ରାଜନୈତିକ ପରିବାର କ’ଣ କରିଛନ୍ତି ତାହା ବଖାଣୁଛନ୍ତି । କିନ୍ତୁ ବାସ୍ତବରେ ଏ ଅଂଚଳରେ ବିକାଶର ହାର ବହୁତ କମ୍ । ଏଥିରେ ନେତୃତ୍ୱର କିଛି ନାହିଁ । ଯଦି ଏହି ନେତାମାନେ ବାସ୍ତବରେ ବିକାଶ କରିଥାନ୍ତେ ତେବେ ଦେଓଗାଁର ଚିନିକଳ ବନ୍ଦ ହୋଇ ନଥାନ୍ତା, ଅବିଭକ୍ତ ବଲାଙ୍ଗିର ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥାନ୍ତା ତଥା ବଲାଙ୍ଗିର ଜିଲ୍ଲାରେ ଦାଦନ ସମସ୍ୟା ସମାଧାନ ହେବା ସହ ଏ ଅଂଚଳରେ ମାନବ ସମ୍ବଳର ବିକାଶ ହୋଇଥାନ୍ତା । ଶେଷରେ ସେ କହିଛନ୍ତି କୋଶଳ ଆନ୍ଦୋଳନ ଏ ମାଟିର ଆନ୍ଦୋଳନ । ଏ ଅଂଚଳର ସବୁ ରାଜନୈତିକ ଦଳ ଏଥିରେ ସଂପୃକ୍ତ । କିନ୍ତୁ ଏକଦା ଏହାକୁ ତୀବ୍ର ବିରୋଧ କରୁଥିବାର ନେତାମାନେ ଏହାକୁ ଏବେ ଲଞ୍ଚପେଡ଼୍ ହିସବାରେ ବ୍ୟବହାର କରିବାକୁ ଚାହୁଁଛନ୍ତି । କିଛି ସୁବିଧାବାଦୀ ନେତା କୋଶଲବାଦୀଙ୍କୁ ବ୍ୟବହାର କରି ନିଜର ରାଜନୈତିକ ଅଭିସନ୍ଧି ହାସଲ କରିବାକୁ ଚାହୁଁଛନ୍ତି । ତେଣୁ ଏଭଳି ନେତାଙ୍କୁ ଓ କୋଶଲକୁ ଲଞ୍ଚପେଡ଼୍ ଭାବରେ ବ୍ୟବହାର କରିବାକୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ଏ ଅଂଚଳର ସ୍ୱାଭିମାନ ଦୃଷ୍ଟିରୁ ପ୍ରବଳ ବିରୋଧ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି । ଏଥିପାଇଁ ଆଗାମୀ ଦିନରେ ଜନମତ ପାଇଁ ‘ଜନାଦେଶ ଯାତ୍ରା’ କରାଯିବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।
Prev Post
Next Post