ପଦ୍ମପୁରରୁ ବାଂଲାଦେଶୀ ଓ ରୋହିଜ୍ଞାଙ୍କୁ ବିତାଡିତ କରିବା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବାଙ୍ଗଲାଦେଶରେ ବିଗତ ଦିନରେ ଦେଖା ଯାଉଥିବା ହିଂସା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ନୂତନ ସରକାର ଗଠିତ ହେବା ପରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ଚରମ ସୀମାରେ ପହଂଚିଛି । ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସ ଓ ପରବର୍ତ୍ତୀ ସମୟରେ ଅମୃତ ମଣ୍ଡଳଙ୍କ ହତ୍ୟା ସମସ୍ତଙ୍କୁ ଭୟଭୀତ କରିଛି । ବିଶେଷତଃ ଭାରତର ହିନ୍ଦୁମାନଙ୍କ ପ୍ରତି ଏକ ବିପଦଜନକ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଭାରତ ବିରୋଧୀ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ଥିବା ଏହି ସରକାର ହିନ୍ଦୁମାନଙ୍କ ହତ୍ୟା ଓ ଅନ୍ୟାନ୍ୟ ଅତ୍ୟାଚାରକୁ ଆହୁରି ପ୍ରଶ୍ରୟ ଦେଉଛି । ଏହା ବ୍ୟତୀତ କ୍ରମାଗତ ଭାବରେ ବାଙ୍ଗଳାଦେଶୀ ଓ ରୋହିଜ୍ଞାମାନଙ୍କ ଅନୁପ୍ରବେଶ ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି । ସେମାନେ ଭାରତରେ ସ୍ଥାନୀୟ ଲୋକଙ୍କ ରୋଜଗାରକୁ ଛଡ଼ାଇ ନେଉଥିବା ସହ ରାତିରେ ବିଭିନ୍ନ ଅପରାଧରେ ଲିପ୍ତ ରହୁଛନ୍ତି । ଏହା ସହ ଭାରତରେ ଦେଖାଯାଉଥିବା ଧର୍ମାନ୍ତରୀକରଣରେ ମଧ୍ୟ ସେହିମାନେ ଲିପ୍ତ ରହୁଛନ୍ତି । ପଦ୍ମପୁର ସହରରେ ବିଗତ ୫-୭ ବର୍ଷରେ ଏମାନଙ୍କ ସଂଖ୍ୟା ବହୁ ପରିମାଣରେ ବଢ଼ି ଚାଲିଛି । ଏ ସବୁର ପ୍ରତିବାଦରେ ଡିସେମ୍ବର ୩୦ ତାରିଖ ମଙ୍ଗଳବାର ଦିନ ପଦ୍ମପୁରରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରୁ ଏକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଭେଉଁରିଆ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସେଠାରେ ପଦ୍ମପୁରରେ ବାଂଲାଦେଶୀମାନଙ୍କୁ ପ୍ରଶ୍ରୟ ଦେଉଥିବା ଲୋକଙ୍କୁ ତାଗିଦ କରିବା ସହ ଆଗାମୀ ସମୟରେ ପଦ୍ମପୁରରେ ତାଙ୍କ ପ୍ରବେଶକୁ ବାରଣ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ଶହ ଶହ ସଂଖ୍ୟାରେ ପଦ୍ମପୁରର ଜନସାଧାରଣ ଏବଂ ଅନେକ ଅନୁଷ୍ଠାନ, ସଙ୍ଗଠନ, କ୍ଲବ ତଥା ବିବିଧ ସମାଜର ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ । ଆଗାମୀ ସମୟରେ ପଦ୍ମପୁରରେ ବାଂଲାଦେଶୀମାନଙ୍କ ଠାରୁ ପଦ୍ମପୁରକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ସଂକଳ୍ପ କରିଥିଲେ । ପରିଶେଷରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ଓ ପାକିସ୍ତାନର ସେନାଧ୍ୟକ୍ଷ ଆସିଫ ମୁନିର ଉଭୟଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।

Leave A Reply

Your email address will not be published.