ଦୁଇଦିନରେ ତିନି ମୋବାଇଲ ଓ ବାଇକ ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାରେ ଥିବା ଏକ ଘରେ ପଶି ଦୁର୍ବୃତ୍ତମାନେ ମୋବାଇଲ ଚୋରି କରିଥିବା ଖବର ମିଳିଛି । ଏନେଇ ମୋବାଇଲ ଚୋରିର ଶିକାର ହୋଇଥିବା ଧର୍ମରାଜ ସାହୁ ଥାନାରେ ଏତଲା ଦେଇଥିବା ଜଣାପଡିଛି । ତାଙ୍କ ଅନୁପସ୍ଥିତିରେ ଘରକୁ କେହି ଆସି ମୋବାଇଲ ନେଇଥିବା ସେ ଅଭିଯୋଗ କରିଥିଲେ । ଏଥିସହ ବିବିଏମସିଏଚ୍ ଶବ ବ୍ୟବଚ୍ଛେଦ କେନ୍ଦ୍ରର ଆମ୍ବୁଲାନ୍ସ ଚାଳକ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ମଧ୍ୟ ମୋବାଇଲ ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ସେ ବୁର୍ଲାରୁ ଫେରୁଥିବା ବେଳେ ବରଗଡ଼ ବରପାଲିରୁ ଜଣେ ଯୁବକ ତାଙ୍କୁ ଲିଫ୍ଟ ମାଗିଥିଲା । ରାତି ହୋଇଥିବାରୁ ପ୍ରଦ୍ୟୁମ୍ନ ତାଙ୍କୁ ଲିଫ୍ଟ ଦେଇଥିଲେ । ଏହି ସମୟରେ ସେ ନିଜ ମୋବାଇଲକୁ ଚାର୍ଜରେ ବସାଇଥିଲେ । ହେଲେ ଯୁବକ ଜଣକ ବଲାଙ୍ଗିରରେ ଓହ୍ଲାଇବା ପରେ ତାଙ୍କ ମୋବାଇଲ ଆଉ ଗାଡିରେ ନଥିଲା । ଏନେଇ ସେ ଥାନାରେ ଏତଲା ଦେଇଥିଲେ । ଅପରପକ୍ଷେ, ବଲାଙ୍ଗିର-ସମ୍ବଲପୁର ରୋଡରେ ଥିବା ଏକ ହୋଟେଲରେ ଦୁର୍ବୃତ୍ତ ମାତିଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ସିରାବାହାଲ ଗ୍ରାମର ଗଣ୍ଡାରାମ ସୁନା ହୋଟେଲରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ବାଇକ ଓ ମୋବାଇଲ ଚୋରି କରିନେଇଥିଲେ । ଏନେଇ ଗଣ୍ଡାରାମ ଥାନାରେ ଏତଲା ଦେଇଛନ୍ତି ।

Leave A Reply

Your email address will not be published.