କେନ୍ଦୁଝର ଓ କଳାହାଣ୍ଡିରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର, (ପିଆଇବି) : କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଶତପ୍ରତିଶତ ପ୍ରସାର ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଆଜି ପଞ୍ଚମ ଦିନରେ ପହଞ୍ଚିଛି ।
କେନ୍ଦୁଝର ସଦର ବ୍ଲକ୍ ରାଇସୁଆଁ ଗ୍ରାମ ପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, କୃଷି ବୀମା ଯୋଜନା ଆଦି ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ବିଭିନ୍ନ ଯୋଜନାର ହିତାଧିକାରୀମାନେ ନିଜର ଅନୁଭୂତି ପ୍ରକାଶ କରିଥିଲେ । ସେହିପରି କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଜନାର୍ଦ୍ଦନପୁର ଗ୍ରାମ ପଞ୍ଚାୟତରେ ମଧ୍ୟ ବିକଶିତ ଭାରତ ସଂକଳ୍ପ ଯାତ୍ରା ଆୟୋଜିତ ହୋଇଯାଇଛି । ଯାତ୍ରା ଅବସରରେ ହିତାଧିକାରୀଙ୍କୁ ସଚେତନ କରାଯିବା ସହିତ କିଛି ହିତାଧିକାରୀଙ୍କ ପଞ୍ଜୀକରଣ ଓ ସହାୟତା ବିତରଣ ମଧ୍ୟ କରାଯାଇଛି ।
ଅନ୍ୟପଟେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଗୋବର୍ଦ୍ଧନପୁର ଏବଂ କଦମଗୁଡ଼ା ଗ୍ରାମପଞ୍ଚାୟତରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗୋବର୍ଦ୍ଧନପୁର ଠାରେ ବହୁ ମହିଳା ହିତାଧିକାରୀ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ସ୍ୱାଗତ କରିଥିଲେ । ସରପଞ୍ଚ ବୈଦେହୀ ମାଝୀ, ରୁଦ୍ରନାରାୟଣ ସାହୁ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ସେବତୀ ହରିଜନ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ, ସ୍ୱଚ୍ଛ ରୋଷେଇ ଇନ୍ଧନ ପାଇଁ ସେ ଓ ତାଙ୍କ ପରିବାର ବିଶେଷ ଉପକୃତ ହୋଇଛନ୍ତି । ଲାଞ୍ଜିଗଡ଼ ବ୍ଲକ୍ କଦମଗୁଡ଼ା ପଞ୍ଚାୟତରେ ପାରମ୍ପରିକ ଘୁମୁରା ବାଦ୍ୟ ବଜାଇ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ସ୍ୱାଗତ କରାଯାଇଛି । ପଞ୍ଚାୟତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସଚେତନ କରାଯାଇଛି ।

Leave A Reply

Your email address will not be published.