ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନ ସଭା କ୍ଷେତ୍ରର ଏକ ସାମ୍ବାଦିକ ସମ୍ମିଳନୀ ସେକ୍ଟର -୨୦ ସ୍ଥିତ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଏହି ସମ୍ମିଳନୀକୁ ଉଦ୍ବୋଧନ ଦେଇ ତାଙ୍କ ବକ୍ତବ୍ୟରେ କହିଲେ ଯେ ଓଡ଼ିଶାର ଅନ୍ୟତମ ଆଦିବାସୀ ବହୁଳ ଜିଲ୍ଲା ଭାବେ ପରିଚିତ ଆମର ଏଇ ସୁନ୍ଦରଗଡ଼ ରାଜସ୍ୱ ଜିଲ୍ଲା ଅଧୀନରେ ଅଛି ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ । ଗତ ୨୦୨୪ ସାଧାରଣ ନିର୍ବାଚନ ପରେ ଓଡ଼ିଶାରେ ୨୪ବର୍ଷର ବିଜେଡି ଶାସନର ପରିସମାପ୍ତି ଘଟି ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟଜ ଭାବେ ନିର୍ବାଚିତ ହେବାପରେ ମୁଁ ଗତ ୮ ମାସ ମଧ୍ୟରେ ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ପାଖକୁ ଯାଇ ସେମାନଙ୍କର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ଓ ଉନ୍ନତି ପାଇଁ ନିରନ୍ତର ଚେଷ୍ଟା କରିଆସିଛି ବୋଲି କହିଛନ୍ତି ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ତନ୍ତୀ । ନିଜ କାର୍ଯ୍ୟକାଳର ୬ ମାସ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ସେକ୍ଟର-୨୦ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ବିଧାୟକ ଶ୍ରୀ ତନ୍ତୀ ନିଜର ଏହି ଛଅ ମାସ କାର୍ଯ୍ୟକାଳ ମଧ୍ୟରେ ନିଜ ଅଂଚଳବାସୀଙ୍କ ଆବଶ୍ୟକତା ଏବଂ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ କରିଥିବା କାର୍ଯ୍ୟ ସମ୍ବନ୍ଧୀୟ ଏକ ସମ୍ୟକ ସୂଚୀ ରିପୋର୍ଟ କାର୍ଡ ମାଧ୍ୟମରେ ଜନତାଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି । ଏହି ଅବସରରେ ରାଉରକେଲା, ରଘୁନାଥପାଲ୍ଲୀ ବିଧାନସଭା ସମେତ ସମଗ୍ର ଜିଲ୍ଲାର ବିକାଶ ନିମିତ୍ତ ସାମ୍ବାଦିକ ମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କେତୋଟି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ବିଧାୟକ ଶ୍ରୀ ତନ୍ତୀ ନିଜ ଉତ୍ତରରେ ସାମ୍ବାଦିକମାନେ ହେଉଛନ୍ତି ସମାଜର ଆଖି, ନାକ ଓ କାନ ସଦୃଶ ତେଣୁ ଆଗାମୀ ଦିନରେ ନିଶ୍ଚିତ ଭାବରେ ଆପଣମାନଙ୍କ ପରାମର୍ଶକୁ ଗମ୍ଭୀରତାର ସହ ବିଚାରକୁ ନେଇ ଆବଶ୍ୟକତାନୁସାରେ ବିଭାଗୀୟ ଅଧିକାରୀ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଅଞ୍ଚଳର ବିକାଶକୁ ନିଶ୍ଚିତ ଭାବରେ ଆଗେଇ ନେବି ବୋଲି ଶ୍ରୀ ତନ୍ତୀ ପ୍ରତିଶୃତି ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ କି ବିଧାୟକ ଭାବେ ନିର୍ବାଚିତ ହେବର ୪ମାସ ମଧ୍ୟରେ ନିଜର ତିନି ମାସ କାର୍ଯ୍ୟର ରିପୋର୍ଟ କାର୍ଡ ପୂର୍ବରୁ ବିଧାୟକ ଜନତାଙ୍କ ନିକଟରେ ରଖିସାରିଛନ୍ତି । ରାଉରକେଲା ମହାନଗର ନିଗମ ନିର୍ବାଚନ, ରାଉରକେଲା ଶିକ୍ଷା ଜିଲ୍ଲାରେ ଅଧିକାରୀଙ୍କ ନିଯୁକ୍ତି ଜଣେ ଅଧିକାରୀଙ୍କ ଦ୍ଵାରା ଏକାଧିକ ବିଭାଗ ପରିଚାଳନାକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀତନ୍ତୀ କହିଲେ ଯେ ଆମ ସରକାର ଏଥିପ୍ରତି ନଜର ରଖିବା ସହ ସମସ୍ୟାର ସମଧାନ ପାଇଁ ଅତିଶୀଘ୍ର ପଦକ୍ଷେପ ନେବେ । ଏହାସହ ଆଗାମୀ ଦିନରେ ଅଞ୍ଚଳ ତଥା ଅଂଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ ନିମିତ୍ତ ଗଣମାଧ୍ୟମର ସହଯୋଗ କାମନା କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଳା ସମ୍ପାଦକ ଅଜୟ କଂସାରୀ, ମଧୁବାବୁ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତ, ଜଗନ୍ନାଥ ମଣ୍ଡଳ ସଭାନେତ୍ରୀ ମମତା ମହାନ୍ତି, ନିର୍ମଳ ମୁଣ୍ଡା ମଣ୍ଡଳ ସଭାନେତ୍ରୀ ରଞ୍ଜିତା କିସପୋଟ୍ଟା ପ୍ରମୁଖ ଉପସ୍ଥିତ ଥିଲେ ।