ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପ୍ରଜ୍ଞା ଭାରତୀ ଆବାସିକ ବିଦ୍ୟାଳୟଠାରେ ବିକାଶ ଏପ୍ଟିଚିୟୁଟ (ଜ୍ଞାନ କୌଶଳ) ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ୧୦ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା । ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଶାସନ ସମ୍ବଲପୁର ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବରେ ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଜିଲ୍ଲା ଶାଖା ସଭାପତି ମନୋରଞ୍ଜନ ତ୍ରୀପାଠୀ, ସ୍କୁଲର ପ୍ରଧାନ ଶିକ୍ଷକ ରମେଶ ନାଏକ, ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ମାର୍କେଟିଂ ମ୍ୟାନେଜର ସୁବଳ ପଧାନ ଯୋଗଦେଇ କୃତୀତ୍ୱ ଅର୍ଜନ କରିଥିବା ଜ୍ଞାନ କୌଶଳ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ୍ କରି ସମ୍ବର୍ଦ୍ଧିତ କରିଥିଲେ । ପିଲାମାନଙ୍କ ଏକାଗ୍ରତା, କ୍ୟାରିୟର ଓ ଆତ୍ମବିଶ୍ଵାସ ବୃଦ୍ଧି ଉପରେ ଅନେକ ଉଦାହରଣ ଦେଇ ଅତିଥିମାନେ ଉତ୍ସାହିତ କରିଥିଲେ । ବିକାଶ ଗ୍ରୁପର ପୀୟୁଷ ସିଂହ, ମିଷ୍ଟର ଜନସନ ଯୋଗଦେଇ ସହଯୋଗ କରିଥିଲେ । ଅନିତା ମେହେର, ସତ୍ୟଜିତ ପଧାନ, ଶ୍ରୀୟାରାଣୀ ପଧାନ, ଅଙ୍କୁଶ ମେହେର, ଅଙ୍କିତା ପ୍ରଧାନ, ସୁଶୀଲ ପଧାନ, ଶୁଭମ୍ ତରିଆ, ନିଶାରାଣୀ ସେଠି, ସିଲୁ ସାହୁ, ଜ୍ୟୋତିର୍ମୟ ମହାକୁଡ ପ୍ରମୁଖ ୧୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନାଏକଙ୍କୁ ବିକାଶ ଗ୍ରୁପ ପକ୍ଷରୁ ଅତିଥି ଶ୍ରୀ ତ୍ରିପାଠୀଙ୍କ ଦ୍ୱାରା ଗୁରୁ ଶ୍ରେଷ୍ଠ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ୮୨ ବର୍ଷ ବୟସରେ ବି ଗୋଟେ ପ୍ରତିଷ୍ଠିତ ବିଦ୍ୟାଳୟର ଗୁରୁ ଦାୟିତ୍ୱ ବହନ ସହ ଶିକ୍ଷାଦାନ କରୁଥିବା ବିଷୟ ଓ ଶ୍ରୀ ନାୟକଙ୍କ ଦୃଢ଼ ମନୋବଳକୁ ଶ୍ରୀ ତ୍ରିପାଠୀ ଭୂୟସୀ ପ୍ରଶଂସା କରି ଯୁବପିଢ଼ିଙ୍କ ପାଇଁ ଶ୍ରୀ ନାୟକ ଏକ ଅନନ୍ୟ ଉଦାହରଣ ବୋଲି କହିଥିଲେ । ଏହି ପରୀକ୍ଷାରେ ସେଣ୍ଟ ଆନି କନଭେଣ୍ଟ ସ୍କୁଲର ୫ ଜଣ ଓ କିଡ୍ସ ଇଂଲିଶ ମିଡିଅମ୍ ସ୍କୁଲର ୩ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯାଇଥିଲା ।