jayashree

ଓଡ଼ିଆ ଭାଷା ବିକାଶ ମଞ୍ଚର କାର୍ଲମାର୍କସ ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଗଣତନ୍ତ୍ର ଓ ବୈଜ୍ଞାନିକ ସମାଜବାଦର ଯୁଗଳବନ୍ଦୀ ହିଁ ଗଣତନ୍ତ୍ରକୁ ସୁରକ୍ଷିତ ରଖି ପାରିବ । ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲ୍‌ଚରାଲ୍‌ ଏକାଡେମୀ ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ କାର୍ଲମାର୍କସ୍‌ ଜୟନ୍ତୀ, ସ୍ୱତନ୍ତ୍ର ଆଲୋଚନାଚକ୍ର ଏବଂ କାବ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ସାହିତ୍ୟ ସଭାରେ ବର୍ଷୀୟାନ ସ୍ତମ୍ଭକାର ଭୂପେନ ମହାପାତ୍ର ମୁଖ୍ୟ ଅତିଥି, ଏବଂ ଆଲୋଚକ ରୂପେ ମାର୍କସୀୟ ଚେତନାର ବ୍ୟାଖ୍ୟାକାର ପଶୁପତିନାଥ ଚାଟାର୍ଜୀ ଏବଂ ଗଗନ ବିହାରୀ ଧଳ ଯୋଗଦାନ କରିଥିଲେ । ସଭା ପ୍ରାରମ୍ଭରେ ଦିବଂଗତ କବି, ଗାଳ୍ପିକ ହଳଧର ପ୍ରଧାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା ପୂର୍ବକ କବି ପ୍ରତାପ କୁମାର ପଣ୍ଡା ତାଙ୍କର ସାହିତ୍ୟିକ କୃତି ସମ୍ପର୍କରେ ଆଲୋଚନା ରଖି ସ୍ମୃତି ଚାରଣ କରିଥିଲେ । ସାଧାରଣ ସମ୍ପାଦକ ମାର୍କସ୍‌ଙ୍କ ଜୀବନାୟନ ଓ ଜୀବନ ଦର୍ଶନ ଉପରେ ଏକ ଭିତ୍ତି ପ୍ରବନ୍ଧ ପାଠ କରି ‘କମ୍ୟୁନିଷ୍ଟ ମେନିଫେଷ୍ଟୋ’ ଏବଂ ‘ଦାସ୍ କ୍ୟାପିଟାଲ୍‌’ ପୁସ୍ତକ କିପରି ସାମାଜିକ ଓ ଅର୍ଥନୈତିକ ବିବର୍ତ୍ତନର ଏକ ପ୍ରଚଣ୍ଡ ଏବଂ ଯୁଗାନ୍ତକାରୀ ଦର୍ଶନ ଥିଲା, ତତ୍ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ଏବଂ ମୁଖ୍ୟ ଆଲୋଚକ ଶ୍ରୀ ଚାଟାର୍ଜୀ ଏବଂ ଶ୍ରୀ ଧଳ ଭାରତବର୍ଷରେ ଗଣତାନ୍ତ୍ରର ଭବିଷ୍ୟତ ସମ୍ପର୍କରେ ଆଲୋଚନା ରଖି ସ୍ୱାଧୀନତାର ଛଅସ୍ତରୀ ବର୍ଷର ଇତିହାସର ବିଚିତ୍ର ବିକାଶ ଓ ଅର୍ଥନୈତିକ ଗତି ଓ ପ୍ରକୃତି ଏବଂ ଉତ୍ପାଦନ ପ୍ରଣାଳୀର କ୍ରମ ବିବର୍ତ୍ତନର ଧାରା ମଧ୍ୟରେ ଭାରତବର୍ଷର ଗଣତାନ୍ତ୍ରିକ ସମାଜବାଦର ଧାରା ଦିଗହରା ହୋଇ ପୁଞ୍ଜିସର୍ବସ୍ୱ ଅର୍ଥନୀତି କିପରି ନିଷ୍ପେଷିତ ଜନତାର ଦୁଃଖ ଦୁର୍ଦ୍ଦଶା ଦୂର କରି ପାରୁନାହିଁ ତତ୍‌ ସମ୍ପର୍କରେ ଆଲୋଚନା ପୂର୍ବକ ପୁଞ୍ଜିବାଦୀ ଅର୍ଥନୀତି ଗଣତାନ୍ତ୍ରିକ ବିକାଶ ଧାରାରେ ବାଧକ ବୋଲି ମତପ୍ରଦାନ କରିଥିଲେ । କାବ୍ୟ ସନ୍ଧ୍ୟାରେ ବଳରାମ ରାଉଳ, ମୀନକେତନ ପଶାୟତ, କାଶୀନାଥ ନନ୍ଦୀ, ସଞ୍ଜୀବ ଭୋଇ, ସୁଶାନ୍ତ କୁମାର ନାୟକ, ଗୌତମ ଦାସ, ପ୍ରଶାନ୍ତ ପତି, ଧୋବେଇ ବେହେରା, ଅକ୍ଷୟ ପଣ୍ଡା ପ୍ରମୁଖ ବହୁ କବି କବିତା ପାଠ କରିଥିଲେ । ବରିଷ୍ଠ କବି ସୁଶାନ୍ତ କୁମାର ନାୟକ ସମସ୍ତ କବିତାର ସଂଯୋଜନା ସହିତ ଆଲୋଚନା ରଖିଥିଲେ । ସଭାପତି ଶ୍ରୀ ପତି ସମସ୍ତ ସଭାର ଆଲୋଚନାକୁ ସଂକ୍ଷିପ୍ତରେ ବର୍ଣ୍ଣନା କରି ଗଣକୁ ତନ୍ତ୍ର ଗର୍ଭସ୍ଥ ନକରି ପ୍ରତିଟି କୁଟୀରକୁ ଶାନ୍ତି ଆଣି ପାରିଲେ, ପ୍ରତିଟି ମଣିଷ ଗଣତନ୍ତ୍ରକୁ ଅନୁଭବ କରିପାରିବ ବୋଲି ମତବ୍ୟକ୍ତ କରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନାଚକ୍ରରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ଓ ଲେଖକ ସମେତ ଅକ୍ଷୟ କୁମାର ସାମଲ, ପ୍ରଫୁଲ୍ଲ କୁମାର ସାମଲ, ବିଚିତ୍ରାନନ୍ଦ ସାହୁ, ଡ. ସୁମନ ଦତ୍ତ, ଡ. ନଗେନ ଦାସ, ସୁକାନ୍ତ ମହାପାତ୍ର, ପ୍ରବୀର କୁମାର ଦୂବେ, ବିଜୟିନୀ ଜେନା, ବସନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.