ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସର୍ବଭାରତୀୟ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିନ ଖେଳରେ ବରଗଡ ୟୁନାଇଡେଟ କ୍ଲବ ୪-୦ ଗୋଲରେ ଏସ୍ଡି ଇଲେଭନ କୋଲକତାକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଛି । ଟୁର୍ଣ୍ଣାମେଣ୍ଟ କମିଟି କାର୍ଯ୍ୟକାରୀ ସଭାପତି ବିଧୂଭୂଷଣ ତ୍ରିପାଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଖେଳରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବିଧାନସଭା ମଣ୍ଡଳି ବିଧାୟକ ସୁଦର୍ଶନ ହରିପାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୌରାଧ୍ୟକ୍ଷା ଲିକା ସାହୁ ଓ ଉପ-ଅଧ୍ୟକ୍ଷା ଗାୟିତ୍ରୀ ଭୋଇ ଯୋଗ ଦେଇଥିଲେ । କମିଟିର ବରିଷ୍ଠ ସଦସ୍ୟବୃନ୍ଦ ଆଇନଜୀବୀ ଅଶୋକ କୁମାର ମହାନ୍ତି, ସୁଶିଲ କୁମାର ଚାନ୍ଦ, ଲକ୍ଷ୍ମଣ କୁମାର ମେହେର, ନିହାର ରଂଜନ ସ୍ୱାଇଁ, ଉପ-ସଭାପତି ଶମ୍ଭୁ ପ୍ରସାଦ ନାଗ, ସଂପାଦକ ସାଗର ସଂଗମ ଶତପଥି ମଂଚାସୀନ ଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ସୁଦର୍ଶନ ସେଠ, ସୁବ୍ରତ ପୁରୋହିତ ଓ ବିକି ବିଶି ପରିଚାଳନା କରିଥିଲେ । ଖେଳରେ ବରଗଡ ଦଳର ରୁଦ୍ର ପ୍ରଧାନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ଟ୍ରଫି ସହ ୨ହଜାର ଟଙ୍କା ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ପୂର୍ବତନ ଖେଳାଳି ଲୋକନାଥ କୁମୁରା ଓ ଶ୍ରୀବତ୍ସ ମେହେରଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । କ୍ରୀଡା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିବା ବେଳେ ଜିଲ୍ଲା କ୍ରୀଡା ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚ ପରିଚାଳନା କରିଥିଲେ । ଶନିବାର ଦିନ ରାମଧୂନ କ୍ଲବ ସୁବର୍ଣ୍ଣପୁର ବନାମ ବରଗଡ ୟୁନାଇଟେଡ କ୍ଲବ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି ଟୁର୍ଣ୍ଣାମେଣ୍ଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।