ବଡଟିକା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ କୁଚିଣ୍ଡା ବିଏଫ୍‌ସି ବିଜୟୀ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ବଡଟିକା ଧରଣୀଧର ହାଇସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ ବଡଟିକା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ କୁଚିଣ୍ଡା ବିଏଫ୍‌ସି ଓ ସମ୍ବଲପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କୁଚିଣ୍ଡା ବିଏଫ୍‌ସି ଦଳ ୩-୧ ଗୋଲରେ ସମ୍ବଲପୁର ଦଳ ଠାରୁ ବିଜୟୀ ହୋଇଥିବା ସୂଚନା ମିଳିଛି । ଉକ୍ତ ଫାଇନାଲ ଖେଳରେ ମୁଖ୍ୟ ଅତିଥି ଭାବେ ଆଗଲପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାଶ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ । ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ସାଂସଦ ପ୍ରତିନିଧି ଉମେଶ ଚନ୍ଦ୍ର ପଟେଲ, ମୋହନ ତାଣ୍ଡି, ସମୀର ସିଂଦେଓ, ମଣ୍ଡଳ ସରପଂଚ ସରୋଜ ସେଠ, ନଅଗାଁ (ଖ) ସରପଂଚ ବୃନ୍ଦାବନ ସେଠ, ଜବାହରଲାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡଟିକା ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁଅଁର, ଆଗଲପୁର ତହସିଲ ସେକ୍‌ସନ୍‌ ଅଫିସର ଭରତ ଧରୁଆ, ନରୋତ୍ତମ ପଧାନ, ବଡଟିକା ସରପଂଚ ଉଦୟନାଥ ନାଏକ, ପୂର୍ବତନ ସରପଂଚ କଲାରସିଂ ବାଗ ପ୍ରମୁଖ ମଂଚାସୀନ ଥିଲେ । କୁଚିଣ୍ଡା ବିଏଫ୍‌ସି ଦଳ ଖେଳାଳି ଚିନି କିଷାନ ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ପୁରସ୍କୃତ ହୋଇଥିବା ବେଳେ ସେହି ଦଳର ଖେଳାଳି ବିନି କିଷାନ ମ୍ୟାନ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ଖେଳାଳି ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି । ଉକ୍ତ ସମ୍ବର୍ଦ୍ଧନା ସଭାରେ ମ୍ୟାଚ କମିଶନର ସୁଦୟ ବାରିକଙ୍କ ସହ ସହିଦ ବିଏସ୍‌ଏଫ୍‌ ଯବାନ ବନବିହାରି ବିଶ୍ୱାଲଙ୍କ ପୁତ୍ର ଜିତୁ ବିଶ୍ୱାଲ, ରେଫରି ଅଶ୍ୱିନୀ ବେହେରା, ସୁଧାଂଶୁ ଶେଖର ସେଠ, ସଂଜୀବ ମହାରଣା, ଗୋପାଳ ଚନ୍ଦ୍ର ପଧାନ, କରୁଣାକର ପଧାନ, ଜାତୀୟ ମାଷ୍ଟର ଆଥ୍‌ଲେଟ୍‌ ଋଷଭ ପଧାନ, ସହ କ୍ରୀଡା ସଂଘର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମ୍ୟାଚ କମିଶନର ସୁଦୟ ବାରିକଙ୍କ ସହ ଅଶ୍ୱିନୀ ବେହେରା, ସୁଧାଂଶୁ ଶେଖର ସେଠ, ସଞ୍ଜୀବ ମହାରଣା, ଗୋପାଳ ଚନ୍ଦ୍ର ପଧାନ, କରୁଣାକର ପଧାନ ଖେଳ ପରିଚାଳନା କରିଥିଲେ । ମଂଚ ପରିଚାଳନା କରିଥିଲେ ଆନନ୍ଦ ପଧାନଙ୍କ ସହ ହିମାଂଶୁ ଦଳପତି । କ୍ରୀଡା ସଂଘର ସଭାପତି ଭୂବନେଶ୍ୱର ଧରୁଆ, ଉପସଭାପତି ଗୋପାଳ ବିଶ୍ୱାଲଙ୍କ ସହ କମିଟିର ସମସ୍ତ ସଭ୍ୟ ମାନଙ୍କ ସହ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.