jayashree

ସି. କେ. ନାୟଡୁ ଟ୍ରଫି ଉଦ୍‌ଯାପିତ : ପଞ୍ଜାବ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଚାଲୁଥିବା କର୍ଣ୍ଣେଲ ସି. କେ. ନାୟଡୁ ଟ୍ରଫିର ତୃତୀୟ ଦିବସରେ ଓଡିଶା ତାର ଅସମାପ୍ତ ପାଲି ୧୧ ରନ୍‌ରୁ ଆରମ୍ଭ କରି ସମୁଦାୟ ୧୬୧ ରନ୍‌ ସଂଗ୍ରହ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଫଳରେ ଏହି ମ୍ୟାଚ୍‌କୁ ଓଡିଶା ୧୧୬ ରନ୍‌ ଓ ଏକ ଇଂନିଙ୍ଗସ୍‌ରେ ପରାଜୟ ବରଣ କରିଛି । ଓଡିଶା ଦଳ ତରଫରୁ ମାନସ ରଂଜନ ବେହେରା ସର୍ବାଧିକ ୩୧ ରନ୍‌, ଓମ୍‌ ଟି. ମୁଣ୍ଡେ ୨୨ ରନ୍‌ ଓ ଶାଶ୍ୱତ ମହାନ୍ତି ୨୨ ରନ୍‌ ସଂଗ୍ରହ କରିଥିଲେ । ପଞ୍ଜାବ ଦଳ ତରଫରୁ ସଫଳ ବୋଲର ଭାବରେ ଇମନଜୋତ ସିଂ ଚହଲ ସର୍ବାଧିକ ୫ ଗୋଟି ୱିକେଟ, ସିମରନ୍‌ ଜିତ ୪ ଗୋଟି ୱିକେଟ ଓ କ୍ରିସ ଭଗତ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ୧୬୯ ରନ୍‌ ସଂଗ୍ରହ କରିଥିବା ପଞ୍ଜାବ ଦଳର ବ୍ୟାଟସ୍‌ ମ୍ୟାନ୍‌ ପୁଖରାଜ ମାନ ଓ ଓଡିଶା ଦଳର ୯ ଗୋଟି ୱିକେଟ ଅକ୍ତିଆର କରିଥିବା ବାଦଲ ବିଶ୍ୱାଲଙ୍କୁ ପୁରସ୍କୃତ କରାଯାଇଥିଲା । ଅଣ୍ଡର ୧୯ ଅନ୍ତର୍ଜାତୀୟ ଖେଳାଳୀ ଆରଧ୍ୟ ଶୁକ୍ଳା ଏବଂ ପଞ୍ଜାବ ଦଳର କୋଚ, ପୂର୍ବତନ ଆନ୍ତର୍ଜାତୀୟ ଖେଳାଳି ଭି.ଆର୍‌. ସିଂଙ୍କୁ ସମ୍ମାନିତ କରାଯାଇଥିଲା । ଆଜିର ଏହି ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରି ନାରାୟଣ ପୁଝାରୀ, ସହ-ସଂପାଦକ ଶତୃଘ୍ନ ସିଂ, ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ରମାକାନ୍ତ ସେଠ, ସହ-ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ବରିଷ୍ଠ ସଦସ୍ୟ ଶିଶିର ବହିଦାର, ଗୌର ଚନ୍ଦ୍ର ପ୍ରଧାନ, ରବିନ୍ଦ୍ର ମିଶ୍ର ଓ କୋଚ୍‌ ଅରୁଣ ନାୟକ ଉପସ୍ଥିତ ଥିଲେ । ପଞ୍ଜାବ ଓ ଓଡିଶା ଦଳର ସମସ୍ତ କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.