jayashree

ଗଞ୍ଜାମ ଜିଲ୍ଲାର ଗାଁ ଗାଁ ଏବେ ଶଙ୍ଖ ଧ୍ୱନିରେ ପ୍ରକମ୍ପିତ : ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ୨୦ ନମ୍ବର ଜୋନ୍‌ରୁ ବିଜୟୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଅନୁଷ୍ଠିତ ଭୋଟ ଗଣତି ଗତ ଶନିବାର ସକାଳୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ଭୋଟ ଗଣତି ପୋଲିସର କଡା ନିରାପତ୍ତା ମଧ୍ୟରେ ଜିଲ୍ଲାର ସମସ୍ତ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ବ୍ୟବସ୍ଥିତ ଭୋଟ ଗଣତି କେନ୍ଦ୍ରମାନଙ୍କରେ ଭୋଟ ଗଣତି ଶାନ୍ତିଶୃଙ୍ଖଳାର ସହ ଚାଲୁ ରହିଛି । ଚଳିତ ଥର ମଧ୍ୟ ବିଜେପି ସହ ସଂଘର୍ଷ କରି ଗଞ୍ଜାମ ଜିଲ୍ଲାରେ ବିଜେଡି ଦଳର ପ୍ରାର୍ଥୀମାନେ ବାଜିମାତ ହୋଇଛନ୍ତି । ଏହି ବିଜୟୀ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଞ୍ଜାମ ଜିଲ୍ଲାରେ ପ୍ରତିଟି ଗାଁ ଗାଁରେ ତୁହାକୁ ତୁହା ଶୁଭୁଛି ଶଙ୍ଖର ଧ୍ୱନି । ଶଙ୍ଖ ଧ୍ୱନିରେ ଗାଁ ଗାଁରେ ଏବେ ପ୍ରକମ୍ପିତ ହୋଇ ବିଜୟର ବାର୍ତ୍ତାବହନ କରିଛି । ଗଞ୍ଜାମ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟସଂଖ୍ୟା ସର୍ବମୋଟ ୬୯ ମଧ୍ୟରୁ ୨୩ଟି ଆସନର ଫଳାଫଳ ଅଦ୍ୟାବଧି ଘୋଷିତ ହୋଇଯାଇଛି । ଜିଲ୍ଲାପରିଷଦର ୨୩ଟି ଯାକ ଜୋନ୍ ସଦସ୍ୟ ଆସନରେ ପ୍ରତିଦ୍ୱନ୍ଦିତା କରି ଆସୁଥିବା ବିଜେଡି ପ୍ରାର୍ଥୀମାନେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଅନ୍ୟାନ୍ୟ ଆସନରେ ଭୋଟଗଣତି ଚାଲୁ ରହିଛି । ସର୍ବୋପରି ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁର ବ୍ଳକ୍ କାର୍ଯ୍ୟାଳୟରେ ଭୋଟ ଗଣତି ଖବର ଜିଲ୍ଲାର ଭୋଟରଙ୍କ ନିମନ୍ତେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ୨୦ ନମ୍ବର ଜୋନ୍ ଜିଲ୍ଲାପରିଷଦ ସଦସ୍ୟ ଭାବେ ଛତ୍ରପୁର ବ୍ଳକ୍ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଗତକାଲି ମଧ୍ୟରାତ୍ରି ଗୋଟାଏ ପରେ ମିଳିଥିବା ଖବର ଅନୁଯାୟୀ ଶ୍ରୀ ରେଡ୍ଡୀ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଏନ୍. ଦୀନବନ୍ଧୁଙ୍କ ଠାରୁ ୩୭୨୭ ଭୋଟରେ ବିଜୟୀ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଧନଞ୍ଜୟ ୧୧ ହଜାର ୯ ଶହ ୭୧ଟି ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଦୀନବନ୍ଧୁ ୮ ହଜାର ୨ଶହ ୪୪ ଭୋଟ ପାଇ ହାରିଯାଇଛନ୍ତି । ଜିଲ୍ଲାପରିଷଦ ଜୋନ୍ ସଦସ୍ୟମାନେ ବିଜୟୀ ଖବର ନେଇ ସଦରମହକୁମା ଛତ୍ରପୁରରେ ଭିଡ଼ ପରିଲିଖିତ ହୋଇଛି । ଛତ୍ରପୁର ତଥା ଜିଲ୍ଲାର ବିଭିନ୍ନ କୋଣଅନୁକୋଣରୁ ବିଜେଡି ସମର୍ଥକ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ମଧ୍ୟ ବିପୁଳ ଭୋଟରେ ବିଜୟ ହୋଇଥିବା ଖବର ମିଳିଛି । ବିଜେଡିର ବିଜୟ ବାର୍ତ୍ତାନେଇ ସଦରମହକୁମାରେ ପ୍ରବଳ ଭିଡ଼ଜମିବାରେ ଲାଗିରହିଛି । ଉତ୍ସାହ ଓ ଉଦ୍ଦୀପନାର ସହ ବିଜୟୀ ନେତ୍ତୃବର୍ଗଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Leave A Reply

Your email address will not be published.