centurian jitm

ଚାଷ ହେବ ଲାଭଦାୟକ, ଚାଷୀ ହେବେ ଖୁସି : ବିଜୟ ପଟ୍ଟନାୟକ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷକୁ ଲାଭଦାୟକ ବ୍ୟବସାୟରେ ପରିଣତ କରିବା ପାଇଁ ଗୁରୁ ମନ୍ତ୍ର ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ । ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଷୀ ମାନଙ୍କୁ ଭେଟି ଜୈବିକ ଚାଷ ସହିତ ମତ୍ସ୍ୟ ଏବଂ ପଶୁ ପାଳନ ପାଇଁ ପରାମର୍ଶ ଦେଇଥିଲେ । ବହୁଳ ମାତ୍ରରେ ରାସାୟନିକ ସାର ଏବଂ କିଟନାଶକ ବ୍ୟବହାର ଦ୍ୱାରା କେବଳ ଲୋକଙ୍କର ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି, ତାହା ନୁହେଁ । ରାସାୟନିକ ସାର ଏବଂ କିଟନାଶକ ବ୍ୟବହାର ଦ୍ୱାରା ଆମେ ପରିବେଶ କୁ ନଷ୍ଟ କରୁଛି ବୋଲି ସେ କହିଥିଲେ । ଖାଦ୍ୟପେୟରେ ଅତ୍ୟଧିକ ସାର ଏବଂ କିଟନାଶକର ବ୍ୟବହାର କର୍କଟ ରୋଗର ମୁଖ୍ୟ କାରଣ । ବିଷାକ୍ତ ଖାଦ୍ୟଶସ୍ୟ ଖାଇ ପୃଥିବୀ ପୃଷ୍ଠରୁ ବହୁ ପ୍ରାଣୀ ବିଲୁପ୍ତ ହୋଇଯାଉଥିବା ବେଳେ ଏବେ ବିଷାକ୍ତ ଖାଦ୍ୟ ମଣିଷ ଶରୀରରେ କର୍କଟ, ମଧୁମେହ ଏବଂ ହୃଦରୋଗ ସୃଷ୍ଟି କରୁଛି । ଏଥିସହିତ ମଣିଷର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି । ଯାହା ଫଳରେ କରୋନା ଭଳି ଭୁତାଣୁ ମହାମାରୀ ରୂପ ନେଇ ବିଶ୍ଵରେ ତାଣ୍ଡବଲୀଳା ରଚୁଛି । ଏଥିରୁ ମଧ୍ୟ ବାଦପଡି ନାହିଁ ଜଳବାୟୁ । ପରିବେଶ ନଷ୍ଟ ହେବା ସହିତ ଅତ୍ୟଧିକ ସାର ଏବଂ କିଟନାଶକ ଜଳବାୟୁ ପରିବର୍ତ୍ତନ ର ଏକ କାରଣ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସ୍ୱାସ୍ଥ୍ୟ ହଁ ସମ୍ପଦ, ଉତ୍ତମ ସ୍ୱାସ୍ଥ୍ୟ ଥିଲେ ଜୀବନ ଅମୂଲ୍ୟ । ତା ଆଗରେ ଧନ, ସଂପତ୍ତି ଏବଂ କ୍ଷମତା ମୂଲ୍ୟହୀନ । ତେଣୁ ସୁସ୍ଥ ଜୀବନ ଏବଂ ପରିବେଶ ପାଇଁ ଆମକୁ ଧାନ ସହିତ ମୀନ ଚାଷକୁ ଗୁରୁତ୍ଵ ଦେବା ପାଇଁ କହି ଯେଉଁ ଦିନ ଧାନ ଏବଂ ମୀନ ଗୋଟିଏ ଜମିରେ ଅମଳ ହେବେ ସେଦିନ ପରିବେଶ ସନ୍ତୁଳିତ ହେବ । ମଣିଷ ସମାଜର ଅଗ୍ରଗତି ପାଇଁ ଅଙ୍ଗାର ଜନିତ ପ୍ରଗତିର ଆବଶ୍ୟକ ନାହିଁ । ଏହା କେବଳ ପରିବେଶକୁ ନଷ୍ଟ କରୁନାହିଁ, ଏହା ମଣିଷ ଜୀବନ ପାଇଁ ବିପଦ ସାଜିଛି । ଆର୍ଥିକ ବିକାଶ ପାଇଁ ଆମକୁ ସବୁଜ ପ୍ରଗତିର ଆବଶ୍ୟକତା ରହିଛି । ଏଥିପାଇଁ ଧାନ, ମୀନ ସହିତ ପଶୁପକ୍ଷୀ ପାଳନ, ବିଶେଷ କରି ଗାଇ, ଛେଳି, ମେଣ୍ଢା, କୁକୁଡ଼ା ଏବଂ ବତକ ପାଳନକୁ ଗୁରୁତ୍ଵ ଦେବାକୁ ହେବ ବୋଲି ସେ କହିଥିଲେ । କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟାୟନ ଏବଂ ମାର୍କେଟିଂ ପାଇଁ ଚାଷୀମାନେ ଏକତ୍ରିତ ହୋଇ କୃଷକ, ଉତ୍ପାଦକ ସଂଘ (ଏଫ୍ ପି ଓ) କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଦେବଦତ୍ତ କ୍ଳବରେ ଏକ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ଏଫ୍ ପି ଓର କର୍ମକର୍ତ୍ତାଙ୍କୁ ଭେଟି ଚାଷକୁ କିପରି ଲାଭକାରୀ ବେଉସାରେ ପରିଣତ କରିହେବ ସେ ବିଷୟରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗାଇସିଲେଟ ବିଡ଼ିଓ ମନୋଜ କୁମାର ଦେବତା, ପଦ୍ମପୁର ଏଡିଓ ଅମିୟ କୁମାର ସାହୁ, ଓସିଏଫ୍‌ କୋ ଫାଉଣ୍ଡର ଅଶୋକ କୁମାର ବରାଳ, ସମାଜସେବୀ ସାରଦା ପ୍ରସନ୍ନ ସ୍ୱାଇଁ, ଦେବଦତ୍ତ କ୍ଲବ୍ ସମ୍ପାଦକ କାହ୍ନୁ ଚରଣ ମାଝୀ, ତ୍ରିରଙ୍ଗା ଯୁବକ ସଂଘ ସମ୍ପାଦକ କୈଳାଶ ଚନ୍ଦ୍ର ସାହୁ ଏବଂ ବୁଢ଼ାସମ୍ବର ଡାଲି ଓ ପନିପରିବା ଉତ୍ପାଦକ କମ୍ପାନୀ, ସ୍ୱୟଂ ସିଦ୍ଧା କୃଷକ ଉତ୍ପାଦକ କମ୍ପାନୀ, ମା’ ମଙ୍ଗଳା କୃଷକ ଉତ୍ପାଦକ କମ୍ପାନୀ, ବନସ୍ପତି କୃଷକ ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ହେମନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.