
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ପୁଣ୍ୟ ପୀଠ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଥିବା ନୃସିଂହନାଥ ପୀଠରେ ବୈଶାଖ ମେଳା ସୋମବାର ବିଶ୍ୱଶାନ୍ତି ମହାଯଜ୍ଞ ପୂଣ୍ଣାହୁତି ପଡିବା ସହ ୫ ଦିନରେ ୧ଲକ୍ଷ ୨୫ହଜାର ବୀଜ ମନ୍ତ୍ର ଜପ ସହ ୧୨ ହଜାର ଆହୁତି ଦିଆଯାଇଛି । ଶେଷ ଦିନରେ ନୃସିଂହ ଭଗବାନକୁ ଦର୍ଶନ ପରି ଚତୁଃପାଶ୍ୱର୍ରେ ମନ୍ଦିର ପରିକ୍ରମା କରାଯାଇଥିଲା । ଶେଷରେ ଅପରାହ୍ନ ୨ ଟାରେ ପୂର୍ଣ୍ଣାହୁତି ହୋମ ଭୋଗ ଆଳତୀ ଓ ପୁଷ୍ପାଞ୍ଜଳି ଦିଆଯାଇଥିଲା । ପଣ୍ତିତ ଡିଗ୍ରୀଧର ଦେବତାଙ୍କ ସମେତ ୧୨ ଜଣ ଦକ୍ଷ ପଣ୍ତିତମାନଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳା ସହ ମହାଯଜ୍ଞର ପୂର୍ଣ୍ଣାହୁତି ପଡିଛି । ପାଇକମାଳ ଅଞ୍ଚଳ ବାସୀମାନେ ନୃସିଂହନାଥ ପାପହାରିଣୀ ଝରଣା ଗଣେଷ ଘାଟରେ କଳସ ବିସର୍ଜନ କରାଯାଇଥିଲା । ପ୍ରଭୁ ଶ୍ରୀ ଶ୍ରୀ ମାର୍ଜାର କେଶରୀ ଜନ୍ମୋତ୍ସବ ଶେଷ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ, ଭକ୍ତ ତଥା ପର୍ଯ୍ୟଟକମାନେ ଚାଲଧାର ଝରଣାରେ ବୁଡ଼ ପକାଇଲେ । ବୈଶାଖ ସୋମବାର ଶେଷ ଦିନ ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ସମାଗମ ହୋଇଥିଲେ । ଛତିଶଗଡ଼, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲାରୁ ବହୁ ଶ୍ରଦ୍ଧାଳୁମାନେ ଆସିଥିଲେ । ନୃସିଂହନାଥ ପାହାଡ଼ ଚଢି ଲକ୍ଷାଧିକ ଶ୍ରଦ୍ଧାଳୁ ହରିଶଙ୍କର ପୀଠକୁ ମଧ୍ୟ ଯାଉଥିଲେ । ହରିଶଙ୍କର ପୀଠରୁ ପାହାଡ ଚଢି ନୃସିଂହନାଥ ପୀଠକୁ ଆସି ପ୍ରଭୁ ମାର୍ଜାର କେଶରୀକୁ ଦର୍ଶନ କରି ଫେରିଥାନ୍ତି । ମିନା ବଜାର ସାଙ୍ଗକୁ ଦୋକାନ ବଜାର ଲୋକେ ଭିଡ଼ ଦେଖିବାକୁ ମିଳୁଥିଲା । ବୈଶାଖ ମେଳାର କମିଟି ସଦସ୍ୟମାନେ ନିଜ ନିଜର ଦାୟିତ୍ୱସମ୍ପାଦନ କରୁଥିଲେ । ପୋଲିସ ବିଭାଗ, ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ ବିଭାଗ ତଥା ଦମକଳ ବିଭାଗ ନିଜ ନିଜ ଦାୟିତ୍ୱ ନିର୍ବାହ କରୁଥିଲେ । ସୋମବାର ବୈଶାଖ ମେଳା ଶେଷ ଦିନ ଥିବାରୁ ନୃସିଂହନାଥ ପୀଠ ଚଳଚଞ୍ଚଳ ହୋଇପଡୁଥିଲା ।