
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରରେ ନକଲି ବିଦେଶୀ ମଦ ତିଆରି କରୁଥିବା ୭ ବିହାରୀ ଯୁବକଙ୍କୁ ଗିରଫ୍ କରି ଆଜି ପୋଲିସ କୋର୍ଟ ଚାଲାଣ କରିଥିବା ବଲାଙ୍ଗିର ଏସ୍ଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ଥାନୀୟ ଉଦୟନଗରରେ କିଛି ବିହାରୀ ଯୁବକ ନକଲି ବିଦେଶୀ ମଦ ତିଆରି କରୁଥିବା କୌଣସି ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ଖବର ମିଳିଥିବା ବେଳେ ଏସ୍ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ରେ ଏସ୍ଡିପିଓ ଶ୍ରୀ ବାଗଙ୍କ ସମେତ ବଲାଙ୍ଗିର ଟାଉନ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟ, ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ ଓ ଅନ୍ୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ସାମିଲ୍ ଥିଲେ । ତେବେ ମିଳିଥିବା ସୂଚନା ଆଧାରରେ ପୋଲିସ ଗତକାଲି ଘଟଣା ସ୍ଥଳ ଉପରେ ଆକସ୍ମିକ ଚଢ଼ାଉ କରି ୭ ଜଣ ବିହାରୀ ଯୁବକଙ୍କୁ କାବୁ କରିଥିବା ବେଳେ ସେମାନଙ୍କଠାରୁ ନକଲି ମଦ ଲିକୁଇଡ୍ ଭର୍ତ୍ତି ପ୍ଲାଷ୍ଟିକ୍ ଜାର୍, ଥିନର୍, ସ୍ପିରିଟ୍, ଗ୍ୟାସ୍ ବର୍ନର୍, ବୋଟ୍ଲିଂ ପାଇଁ ବହୁ ପରିମାଣର ଠିପି, ୪ଟି ମୋଟର ସାଇକେଲ ଓ ନଗଦ ୬ ଲକ୍ଷ ୭୩ ହଜାର ଟଙ୍କା ଜବତ୍ କରିଥିଲା । ଗିରଫ୍ ହୋଇଥିବା ବିହାରୀ ଯୁବକମାନେ ହେଲେ ବିବେକ କୁମାର ସାହୁ, ପୱନ କୁମାର ସାହୁ, ଅରୁଣ ପ୍ରସାଦ, ସଂଜୟ କୁମାର ରାୟ, ଶୈଳେଶ କୁମାର, ସୋନୁ କୁମାର ଠାକୁର ଏବଂ ବିଟୁ କୁମାର ଗୁପ୍ତା । ଆଜି ଗିରଫ୍ ୭ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନାରେ କୁହାଯାଇଛି । ତେବେ ଅଭିଯୁକ୍ତମାନେ ନକଲି ବିଦେଶୀ ମଦ ତିଆରି କରି ଆଖପାଖ ଗାଁରେ ବିକ୍ରି କରୁଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।