om academy

ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ

jsm

ପାଟଣାଗଡ, (ଗୋରେଖନାଥ ବରିହା) : ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ଲାଠୋରରେ ଦୋକାନ ବଜାର ବନ୍ଦ କରାଯାଇଥିବା ଜଣାପଡିଛି । ‘ବିଦ୍ୟୁତ ବିଭାଗ ହାଏ ହାଏ, ଅଘୋଷିତ ବିଦ୍ୟୁତ କାଟ ବନ୍ଦ କର’ ଇତ୍ୟାଦି ନାରାରେ ଗୁଞ୍ଜି ଉଠିଥିଲା ଗାଁର କୋଣ ଅନୁକୋଣ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମର ସାବିତ୍ରୀ ବାଇ ଆମ୍ବେଦକର ବିର୍ସା ମୁଣ୍ଡା ସାମାଜିକ ପରିବର୍ତ୍ତନ ଅନୁଷ୍ଠାନ (ସାବାସ)ର ସଦସ୍ୟ ବିଶ୍ୱହରି ନାଗଙ୍କ ନେତୃତ୍ୱରେ ସୋମବାର ଦିନ ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ କଲ୍ୟାଣ ମଣ୍ଡପଠାରୁ କଲେଜ ଛକ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରି କଲେଜ ଛକଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଥିଲା । ଗ୍ରାମର ମା’ ବସ୍ତ୍ରେନ ଓଡ଼ିଆ ବଣିକ ସଂଘ, ଡ୍ରାଇଭର ସଙ୍ଘ, କୋଶଳ ମୁକ୍ତି ମୋର୍ଚ୍ଚା, ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକଙ୍କ ସହ ବହୁ ସଂଖ୍ୟାରେ ଗ୍ରାମବାସୀ ସାମିଲ ହୋଇ ପୁର୍ଣ୍ଣ ସମର୍ଥନ ଜଣାଇଥିଲେ । ବିଦ୍ୟୁତ ବିଭ୍ରାଟ ପ୍ରତିବାଦକୁ ସମର୍ଥନ ଜଣାଇ ଲାଠୋର ଗାଁର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା । ଏହି ଶୋଭାଯାତ୍ରାରେ ମତ ପ୍ରକାଶ ପାଇଥିଲା ଯେ, ଅନେକ ଦିନରୁ ଲାଠୋର ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ରହିଛି । ବିଭାଗୀୟ ଅଧିକାରୀମାନେ କେହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉ ନାହାଁନ୍ତି । ପାଖାପାଖି ୩୦ଟି ଗ୍ରାମ ଏହି ସମସ୍ୟାରେ ଅଛନ୍ତି । ପାଠପଢାରେ ବ୍ୟାହତ, ସରକାରୀ ବେସରକାରୀ କାର୍ଯାଳୟ ମାନଙ୍କର କାମରେ ଦୂର ଦୁରାନ୍ତରୁ ଆସିଥିବା ଲୋକେ ହଇରାଣ ହେଉଛନ୍ତି । ଅତିଷ୍ଠ ହୋଇ ଲୋକେ ଆଜି ରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ଭାବେ ଗଣ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପାଟଣାଗଡ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭାଗ ପକ୍ଷରୁ ପାଟଣାଗଡ ସହକାରୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ଦାଶ, ଖପ୍ରାଖୋଲ ସେକ୍ସନ କମର୍ସିଆଲ ଅଧିକାରୀ ଅମିତ କୁମାର ମିଶ୍ର ଧାରଣା ସ୍ଥଳକୁ ପହଞ୍ଚି ପ୍ରତ୍ୟେକ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ଆଗାମୀ ୧୫ ଦିନରେ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଅନୁଷ୍ଠାନ ଦ୍ଵାରା ଏକ ପାଞ୍ଚ ଦଫା ସମ୍ବଳିତ ଦାବୀପତ୍ର ଯଥା ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ପୁରୁଣା ଆଲୁମିନିୟମ ତାରକୁ ବଦଳେଇ ନୂତନ କେବୁଲ ତାର ଲଗେଇବା, ଟ୍ରାନସ ଫର୍ମରରେ ଥିବା ତୃଟିକୁ ସୁଧାର କରିବା, ଆବଶ୍ୟକତା ମୁତାବକ କର୍ମଚାରୀ ନିଯୁକ୍ତି କରିବା ଓ ଗ୍ରୀଡରେ କାର୍ଯ୍ୟାଳୟ ସହ ସେକ୍ସନ ଅଧିକାରୀ ନିଯୁକ୍ତି ଦେବା ପ୍ରମୁଖ ଦାବୀ ରହିଛି । ଏହି ଦାବୀ ପତ୍ର ଟାଟା ପାୱାର ପଶ୍ଚିମ ଓଡ଼ିଶା ଲିମିଟେଡ ବଲାଙ୍ଗିରଙ୍କ ଉଦ୍ଦେଶ୍ୟରେ ଶ୍ରୀ ଦାଶଙ୍କ ଜରିଆରେ ଦିଆଯାଇଥିଲା । ଆଗମୀ ଦିନରେ ସମସ୍ୟାର ସମାଧାନ ନ ହେଲେ ବିରାଟ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଏହି ଧାରଣାରେ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗାଁର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.