ଖପ୍ରାଖୋଲ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଯୋଗୁଁ ଜନସାଧାରଣ ହନ୍ତସନ୍ତ : ଘନଘନ ବିଦ୍ୟୁତ କାଟ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସବଷ୍ଟେସନ ଅଞ୍ଚଳରେ ଦୀର୍ଘ ଦିନ ହେଲାଣି ବିଦ୍ୟୁତ ବିଭ୍ରାଟ ଲାଗି ରହୁଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଘନଘନ ବିଦ୍ୟୁତ୍‌ କାଟ୍‌ ଯୋଗୁଁ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି । ଅଘୋଷିତ ବିଦ୍ୟୁତ୍‌ କାଟ ଏଠାକାର ନିତିଦିନିଆ ସମସ୍ୟା ଏବେ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଖପ୍ରାଖୋଲ ସମେତ ଅଞ୍ଚଳର ୧୫ ଟି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇଥିବା ବେଳେ ଅଧିକ ସଂଖ୍ୟାରେ ବିପିଏଲ୍‌ ଉପଭୋକ୍ତା ଅଛନ୍ତି । ପ୍ରତ୍ୟେକ ଗ୍ରାମକୁ ବିଦ୍ୟୁତ ସଂଯୋଗ କରିବାର ଲକ୍ଷ୍ୟ ନେଇ ସରକାର କୋଟି କୋଟି ଅର୍ଥ ବ୍ୟୟ କରୁଥିବା ବେଳେ ବିଦ୍ୟୁତ ବିଭାଗର ଖାମଖିଆଲି ନୀତି ଯୋଗୁଁ ଜନସାଧାରଣ ହନ୍ତସନ୍ତ ହେଉଛନ୍ତି । ଅନ୍‌ଲାଇନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଅଛି । ବିଦ୍ୟାର୍ଥୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉଚ୍ଚ ଶିକ୍ଷା ପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଆବେଦନ କରାଯାଉଛି । ହେଲେ ଦୁଃଖର ବିଷୟ ବିଦ୍ୟୁତ୍‌ ବିଭ୍ରାଟ୍‌ ଯୋଗୁଁ ଅନେକ ବିଦ୍ୟାର୍ଥୀ ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ହେଉଥିବା ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିନକୁ ଦିନ ବିଦ୍ୟୁତ୍‌ ବିଲ ବଢୁଥିବା ବେଳେ ସେହି ଅନୁପାତରେ ସେବା ମିଳୁନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଦ୍ୟୁତ ସହ ନେଟୱର୍କର ସାମଞ୍ଜସ୍ୟ ରହୁଥିବାରୁ ବିଦ୍ୟୁତ ଚାଲିଗଲେ ନେଟୱର୍କ ମଧ୍ୟ ରହୁନାହିଁ । ଫଳରେ ଅନ୍‌ଲାଇନର ସମସ୍ତ କାର୍ଯ୍ୟ ତଥା ବ୍ୟାଙ୍କ ତହସିଲ ଆଦି କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଅଛି । ଏ ସଂପର୍କରେ ସ୍ଥାନୀୟ ଲୋକେ ଟାଟା ପାୱର ଗ୍ରାହକ ସେବା କେନ୍ଦ୍ରକୁ ବାରମ୍ବାର ଅଭିଯୋଗ କରିବା ସହ ସ୍ଥାନୀୟ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟର କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କ‌ରୁଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର କରାଯାଉନାହିଁ । ଅସରାଏ ବର୍ଷାରେ ବିଦ୍ୟୁତ କାଟି ଦେଉଥିବା ବେଳେ ବର୍ଷା ନହେଲେ ମଧ୍ୟ ମନଇଛା ବିଦ୍ୟୁତ କାଟି ଦିଆଯାଉଥିବା ଅଭିଯୋଗ ହେଉଅଛି । ଓଡିଶା ବିଦ୍ୟୁତ ବିଭାଗ ଏକ ଘରୋଇ ସଂସ୍ଥା ଟାଟାକୁ ହସ୍ତାନ୍ତର କରିବା ପରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତ ହୋଇଥିବା ବେଳେ କମ୍ପାନୀ ଗାଡି ଧରି କର୍ମଚାରୀ ମାନେ ଘନ ଘନ ବୁଲୁଥିବାର ଦେଖିବାକୁ ମିଳୁଛି । କିନ୍ତୁ ବିଦ୍ୟୁତ ଚାଲିଗଲେ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବାକୁ ପଡୁଛି ବୋଲି ଜନସାଧାରଣରେ ଅଭିଯୋଗ ହେଉଅଛି । କର୍ମଚାରୀଙ୍କୁ ପଚାରିଲେ ଅସନ୍ତୋଷ ଉତ୍ତର ମିଳୁଥିବା ଜଣା ପଡିଛି । ୧୧ କେଭି ବାଲା କହୁଛନ୍ତି ୩୩ କେଭି ଲାଇନ ଖରାପ ଅଛି । ୩୩ କେଭି ବାଲାଙ୍କୁ ପଚାରିଲେ ଆମ ଲାଇନ ଠିକ୍‌ ଅଛି ୧୧ କେଭି ବାଲାଙ୍କୁ ପଚାରନ୍ତୁ ବୋଲି କହୁଛନ୍ତି । ଖପ୍ରାଖୋଲ ସବଷ୍ଟେସନକୁ ପାଟଣାଗଡ଼ଠାରୁ ବିଦ୍ୟୁତ ଆସିଥିବା ବେଳେ ସମ୍ପୃକ୍ତ ଏସ୍‌ଡ଼ିଓ ଦେବବ୍ରତ ମହାପାତ୍ରଙ୍କୁ ମୋବାଇଲ ଫୋନରେ ଯୋଗାଯୋଗ କରିବାରୁ ମୁଁ ଏ ବିଷୟରେ କିଛି କହି ପାରିବିନାହିଁ ବୋଲି ସେ କହିଥିଲେ । ଗତ କିଛି ଦିନ ହେଲା ଖପ୍ରାଖୋଲରେ ରାତ୍ରି ସମୟରେ ବିଦ୍ୟୁତ ରହୁ ନଥିବା ବେଳେ ଦିନବେଳେ ମଧ୍ୟ ସଠିକ୍‌ ଭାବେ ବିଦ୍ୟୁତ ସେବା ମିଳୁନାହିଁ । ଦିନରେ ୨୦ରୁ ୩୦ ଥର ବିଦ୍ୟୁତ କାଟ ହେଉଥିବାରୁ ଅନେକ କମ୍ପୁଟର, ଟିଭି ଗୁଡିକ ଖରାପ ହେଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ସ୍ଥାନୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଟିମ୍‌ ଲାଗିଛନ୍ତି ବିଦ୍ୟୁତ ନିଶ୍ଚୟ ଆସିବ ବୋଲି ଉତ୍ତର ମିଳୁଛି । ହେଲେ କେଉଁ ସମୟରେ ଆସିବ ସେ ସମ୍ପର୍କରେ କୌଣସି ସୂଚନା ମିଳୁ ନାହିଁ । ଏଣୁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଅଞ୍ଚଳର ବିଦ୍ୟୁତ ସମସ୍ୟାକୁ ସମାଧାନ ନ କଲେ ଖୁବ ଶୀଘ୍ର ଜନ ଆନ୍ଦୋଳନ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.