ଅର୍ଜୁନପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଥମ ବାର୍ଷିକୋତ୍ସବ ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଥମ ବାର୍ଷିକୋତ୍ସବ ସଭାପତି ବୃନ୍ଦାବନ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜିତ କୁମାର ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍, ବାଗ୍ମୀ ତଥା ଆଶୁକବି ଡ. ହେମନ୍ତ କୁମାର ଦାଶ ଯୋଗ ଦେଇ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ସହ ଭାରତୀୟ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଓ ସଂସ୍କାର ପ୍ରଦାନ କରିବାରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଦେଓଗାଁ ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ମିଶ୍ର ଅତିଥି ପରିଚୟ ସହ ବିବରଣୀ ପଠନ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ସଂପାଦକ ପରମେଶ୍ୱର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା ସମିତିର ପୂର୍ବତନ ସଦସ୍ୟ ସଦସ୍ୟା, ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଭୂମିଦାତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମଞ୍ଚୀୟ କାର୍ଯ୍ୟକ୍ରମ ପରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା, ଗୁରୁଜୀ ଗୁରୁମା ଓ ସେବକ ସେବିକା ସହଯୋଗ କରିଥିଲେ ।

Leave A Reply

Your email address will not be published.