ହମିରପୁର, ଲୁହାକେରା, ତୁମକେଲା ଓ ଟାଂଗରପାଲିର ବଞ୍ଚିତ ଅଞ୍ଚଳ ନା ପଞ୍ଚାୟତରେ ନା ପୌରପାଳିକାରେ – ବିଧାନସଭାରେ ପ୍ରଶ୍ନ ଉତ୍ଥାପନ କଲେ ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଧାନସଭାରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ପିଠାସିନ ଉପବାଚସ୍ପତି ଭବାନୀଶଙ୍କର ଭୋଇଙ୍କ ଦୃଷ୍ଟି ଆକର୍ଷଣ କରି ରଘୁନାଥପାଲ୍ଲୀ ନିର୍ବାଚନ କ୍ଷେତ୍ର ଅନ୍ତର୍ଗତ ହମିରପୁର, ଲୁହାକେରା, ତୁମକେଲା ଓ ଟାଂଗରପାଲି ବଞ୍ଚିତ ଅଞ୍ଚଳର ନା ପଞ୍ଚାୟତରେ ନା ପୌରପାଳିକାରେ ଥିବା ଦର୍ଶାଇ ଥିଲେ । ଶ୍ରୀ ତନ୍ତୀ ଏହି ମର୍ମରେ କହିଲେ ଯେ, ରାଉରକେଲା ଇସ୍ପାତ କାରଖାନା ନିର୍ମାଣ ହେବା ପୂର୍ବରୁ ଏହି ଅଞ୍ଚଳ ଗୁଡିକ ଥିଲା ଏବଂ ଏହି ଅଞ୍ଚଳର ବହୁ ଅଂଶ ବିସ୍ଥାପିତ କରାଯାଇ କାରଖାନା ଅଧିନକୁ ନିଆଗଲା । ପରିତାପର ବିଷୟ ଏହି ଯେ, ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଏହି ଅଞ୍ଚଳବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏଣୁ ଶ୍ରୀ ତନ୍ତୀ ଏହି ଅଞ୍ଚଳ ଗୁଡ଼ିକୁ ପଞ୍ଚାୟତ ଓ ପୌରପାଳିକାରେ ଅନ୍ତର୍ଭୂକ୍ତ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ପରିତାପର ବିଷୟ ଏହିକି ଯେ, ପୂର୍ବତନ ନିର୍ବାଚିତ ବିଧାୟକ ନା ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହା ଉପରେ ଦୃଷ୍ଟି ଦେଉଥିଲେ । ଜନତାଙ୍କ ବାରମ୍ବାର ଦାବି ଯୋଗୁ ଗତ ବର୍ଷ ହମିରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଜନ ଶୁଣାଣି ଉପ ଜିଲ୍ଲାପାଳ, ତହସିଲଦାର ଓ ଅନ୍ୟ ଅଧିକାରୀଙ୍କ ସହ ପୂର୍ବତନ ବିଧାୟକଙ୍କ ଉପସ୍ଥିତିରେ ସହସ୍ରାଧିକ ଗ୍ରାମବାସୀ ସର୍ବ ସମ୍ମତି କ୍ରମେ ହମିରପୁରକୁ ଏକ ସ୍ୱତନ୍ତ୍ର ପଞ୍ଚାୟତ କରିବା ପାଇଁ ଦାବି କରିଥିଲେ । ଏହାପରେ ମଧ୍ୟ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ନଥିଲା । ଏହି ଅଞ୍ଚଳର ଗ୍ରାମବାସୀ ମାନେ ନିଜ ଭାଗ୍ୟକୁ ଆଦରି ବାଞ୍ଚୁଛନ୍ତି ଯାହା ଫଳରେ ଆମ ଗଣତନ୍ତ୍ର ବ୍ୟବସ୍ଥାରେ ଜନତାଙ୍କ ଦୁଃଖ କେହି ଶୁଣିବାକୁ ନାହାନ୍ତି । ରାଉରକେଲା ଇସ୍ପାତ କାରଖାନାର ପେରିଫେରି ଅଞ୍ଚଳରେ ଅବସ୍ଥିତ ଥିଲେ ମଧ୍ୟ ସେମାନେ କୌଣସି ଆଖି ଦୃଷ୍ଟିଆ ଉନ୍ନତି ମୂଳକ କାର୍ଯ୍ୟ କରିନାହାନ୍ତି । ଏହି ଅଂଚଳର ବାସିନ୍ଦାମାନେ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ୍‌, ଡ୍ରେନ୍‌, ଷ୍ଟ୍ରିଟ୍‌ ଲାଇଟ୍‌ ଆଦି ମୌଳିକ ସୁବିଧାରୁ ବଞ୍ଚିତ ହେଇଛନ୍ତି । ବାରମ୍ବାର ଦାବି ହୋଇଥିଲେ ମଧ୍ୟ ସମସ୍ତେ ନୀରବ । ନବନିର୍ବାଚିତ ବିଧାୟକ ଶ୍ରୀ ତନ୍ତୀ ଗତ ଜୁନ ମାସ ୧୯ ତାରିଖ ଦିନ ଶପଥ ନେବାପରେ ଜନତାଙ୍କ ସେବକ ଭାବରେ ଶ୍ରୀ ତନ୍ତୀ ଜନତାଙ୍କ ଜର୍ଜରିତ ସମସ୍ୟାକୁ ହୃଦଙ୍ଗମ କରି ଏହାକୁ ବିଧାନସଭାରେ ଉତ୍ଥାପନ କରିଛନ୍ତି ଓ ଏହା ଉପରେ ଉପଯୁକ୍ତ ପଦକ୍ଷେପ ନିଆଗଲେ ଗ୍ରାମବାସୀମାନେ ଉପକୃତ ହେବେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି ।

Leave A Reply

Your email address will not be published.