jayashree

ବରଗଡ ମହିଳା ସମିତି ପକ୍ଷରୁ ବିଧାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ମହିଳା ସମିତି ପକ୍ଷରୁ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ ଅବସରରେ ବିଧାୟକଙ୍କ ନିଶାମୁକ୍ତ ବରଗଡ଼ ଅଭିଯାନ ସଙ୍କଳ୍ପକୁ ସାକାର ରୂପ ଦେବାରେ ମହିଳା ସମିତି ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ଘୋଷଣା କରାଯାଇଛି । ସମ୍ବର୍ଦ୍ଧନାର ଉତ୍ତରରେ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ କହିଥିଲେ ଯେ, ବରଗଡ଼କୁ ଏକ ସୁନ୍ଦର, ସୁସ୍ଥ, ପରିମଳ ସହରରେ ପରିଣତ କରିବା ପାଇଁ ରୋଡ ମେପ ତିଆରି ହେଉଛି । ସେଥିରେ ନିଶାମୁକ୍ତ ବରଗଡ଼ ସାଙ୍ଗକୁ ସମୁଚିତ ପରିମଳ ବ୍ୟବସ୍ଥା, ବନ୍ଧକଟାର ପୁନରୁଦ୍ଧାର ଓ ସୌଖିନ ସୌନ୍ଦର୍ଯ୍ୟକରଣ ଅନ୍ତର୍ଭୁକ୍ତ । ଏହା ସାଙ୍ଗକୁ ଡେବ୍ରିଗଡକୁ ଇକୋ ଟୁରିଜମରେ ପରିଣତ ଏବଂ ବରଗଡ଼ରେ ତାହାର କାର୍ଯ୍ୟାଳୟ ପ୍ରତିଷ୍ଠା, ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ସ୍ମୃତି ସନ୍ତକ ରୂପେ ଭବ୍ୟ ଗେଟ୍‌ ବରଗଡର ପ୍ରବେଶ ପଥରେ ନିର୍ମାଣ କରାଯିବ ବୋଲି ବିଧାୟକ ସୂଚନା ଦେଇ ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ବରଗଡ଼ ପୌରାଧକ୍ଷ ପ୍ରଶାନ୍ତ ବେହେରା ଯୋଗଦେଇ ସହରର ଉନ୍ନତିରେ ସମସ୍ତଙ୍କ ଗଠନମୂଳକ ସହଭାଗିତା ଉପରେ ଗୁରୁତ୍ୱାରୋପ କରିଥିଲେ । ସମିତିର ସଭାନେତ୍ରୀ ହରିଜିନ୍ଦର କୌର ସଭାପତିତ୍ୱ କରି ନିଶାମୁକ୍ତ ବରଗଡ଼ ସାଙ୍ଗକୁ ବରଗଡ଼ରେ ମହିଳା ଥାନା ଓ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ଗୀତା ମିଶ୍ର, ସମିତିର ଉପଦେଷ୍ଟା ପ୍ରିତମ ସିଂ ଓ ପ୍ରସନ୍ନ ମିଶ୍ର, ସମ୍ପାଦିକା ଇନ୍ଦ୍ରାଣୀ ଶତପଥୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ବରିଷ୍ଠ ସଦସ୍ୟ ମମତା ମିଶ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇ ଅତିଥି ପରିଚୟ ପ୍ରଦାନ ଏବଂ ଅଞ୍ଜନା ଦାସ ସଭାକାର୍ଯ୍ୟ ସଂଯୋଜନା କରିଥିଲେ । ଶେଷରେ ସମୂହ ବନ୍ଦେ ମାତରଂ ଗାନ ପରେ ରାଧାରାଣୀ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ବରିଷ୍ଠ ସଭ୍ୟବୃନ୍ଦ ମନ୍ଦାକିନୀ ପତି, ଦେବକୀ ମେହେର, ସୁଧାଂଶୁବାଳା ଦାସ, ଜୟଗୀତା ପଣ୍ଡା, ମାମି ମିଶ୍ର, ଜୟଶ୍ରୀ ପଣ୍ଡା, ଡା. କମଳିନୀ ଶତପଥୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.