ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଦକ୍ଷିଣ ରାଉରକେଲା ସାରବଗରୀର ନିକଟରେ ଥିବା ଟାଙ୍ଗରପାଲ୍ଲୀ ବସ୍ତିରେ ରହୁଥିବା ରାଜେଶ ପାତ୍ର ଏକ ଯାତ୍ରୀବାହୀ ବସରେ ଖଲାସୀ ଭାବେ କାର୍ଯ୍ୟ କରୁଥିବା ବେଳେ ଗତ ୨୩/୭/୨୦୦୧ରେ ବଣେଇଗଡ଼ ଉପଖଣ୍ଡ ଅଞ୍ଚଳରେ ଥିବା ମହୁଲଡିହା ଥାନା ଅନ୍ତର୍ଗତ ମହୁଲଡିହା ନିକଟରେ ବସରୁ ଖସି ତଳେ ପଡି ଗୁରୁତର ଭାବେ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ରାଜେଶଙ୍କୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ତାଙ୍କର ବାମ ଗୋଡଟିକୁ କଟାଯାଇ ଶରୀରରୁ ଅଲଗା କରି ଦିଆଯାଇଥିଲା । ସେହିଦିନଠାରୁ ରାଜେଶ ଏକ ଦିବ୍ୟାଙ୍ଗ ବ୍ୟକ୍ତି ଭାବରେ ଜୀବନ ଯାପନ କରିବା ପାଇଁ ବାଧ୍ୟ ହୋଇଥିଲେ । ନିଜର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ କରିବା ପାଇଁ ରାଜେଶ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲଟିଏ ପାଇବା ପାଇଁ ସମସ୍ତ ନେତା ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ । ତେବେ କେହି ମଧ୍ୟ ତାଙ୍କ ଡାକ ଶୁଣି ନଥିଲେ । ଗତ ବିଧାନସଭା ନିର୍ବାଚନରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ଦୂର୍ଗା ଚରଣ ତନ୍ତୀଙ୍କ ନିକଟରେ ଏହି ଖବର ପହଂଚିବା କ୍ଷଣି ବିଧାୟକ ଶ୍ରୀ ତନ୍ତୀ ଏ ସମ୍ବନ୍ଧରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଦିବ୍ୟାଙ୍ଗ ରାଜେଶଙ୍କୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇକେଲଟିଏ ଯୋଗାଇ ଦେବା ପାଇଁ କହିଥିଲେ । ବିଧାୟକ ଶ୍ରୀ ଦୁର୍ଗାଙ୍କ ସୁପାରିଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଦୁଇଦିନ ତଳେ ରାଜେଶଙ୍କୁ ଏକ ବ୍ୟାଟେରୀ ଚାଳିତ ଟ୍ରାଇ ସାଇଜେଲ ପ୍ରଦାନ କରାଯାଇଛି । ଟ୍ରାଇ ସାଇକେଟିଏ ପାଇବା ପାଇଁ ରାଜେଶ ଦେଖିଥିବା ସ୍ୱପ୍ନ ଦୀର୍ଘ ୨୫ ବର୍ଷ ପରେ ସାକାର ହୋଇଥିବାରୁ ରାଜେଶ ବେଶ ଅନନ୍ଦିତ ଥିବାବେଳେ ତାଙ୍କ ପରିବାର ବର୍ଗ ଏବଂ ଅଞ୍ଚଳବାସୀ ଏହି ମହାନ କାର୍ଯ୍ୟରେ ସହଯୋଗ କରିଥିବାରୁ ବିଧାୟକ ଶ୍ରୀ ତନ୍ତୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Prev Post