ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଫେବୃୟାରୀ ୮ ତାରିଖରୁ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଧାୟକ କପ୍ ଫୁଟବଲ ଟୁର୍ଣାମେଣ୍ଟ ଅନୁଷ୍ଠିତ ହେବ । ଏଥିପାଇଁ ଲୋଇସିଂହା ବ୍ଲକରୁ ୧୦ଟି, ଆଗଲପୁର ବ୍ଲକରୁ ୮ଟି, ପୁଇଁନ୍ତଲା ବ୍ଲକରୁ ୪ଟି ଓ ଲୋଇସିଂହା ଏନଏସିରୁ ୧୦ଟି ଦଳ ସମେତ ମୋଟ ୨୬ଟି ଦଳକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏନେଇ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଲୋଇସିଂହା ବ୍ଲକର କୁଶଙ୍ଗ, ପୁଇଁନ୍ତଲା ବ୍ଲକର ମହିମୁଣ୍ଡା ଓ ଆଗଲପୁର ବ୍ଲକର ମୁରସୁଣ୍ଡ ଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏକାଦିକ୍ରମେ ୩ଟି ସ୍ଥାନରେ ଏହି ପ୍ରତିଯୋଗିତାର ଶୁଭାରମ୍ଭ ହେଉଥିବା ବେଳେ ୧୨ ତାରିଖରେ ଲୋଇସିଂହା ଏନଏସି ସ୍ତରୀୟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେବ । ବ୍ଲକ ଓ ଏନଏସି ସ୍ତରୀୟ ଟୁର୍ଣ୍ଣାମେଣ୍ଟର ବିଜେତା ଓ ଉପ ବିଜେତା ଦଳକୁ ଯଥାକ୍ରମେ ୫ ହଜାର ଓ ୩ ହଜାର ଟଙ୍କା ନଗଦ ଅର୍ଥରାଶି ତଥା ଟ୍ରଫି ପ୍ରଦାନ କରାଯିବ । ସେହିପରି ସମସ୍ତ ୪ଟି ସ୍ଥାନର ବିଜେତା ମାନଙ୍କୁ ନେଇ ୧୩ରେ ସେମି ଫାଇନାଲ ଓ ୧୪ରେ ଗ୍ରାଣ୍ଡ ଫାଇନାଲ ଆୟୋଜିତ ହେବ । ଫାଇନାଲ ମ୍ୟାଚର ଚମ୍ପିୟାନ ଦଳକୁ ନଗଦ ୩୦ ହଜାର ଓ ରନର ଦଳକୁ ୨୦ ହଜାର ଅର୍ଥରାଶି ସମେତ ଟ୍ରଫି ପ୍ରଦାନ କରାଯିବ ବୋଲି ଆୟୋଜକଙ୍କ ସୂତ୍ରରୁ ଜଣାଯାଇଛି । ନଅଗାଁ(ଖ) ପଲ୍ଲୀ ଆଲୋକ ପାଠାଗାର ଆନୁକୁଲ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଜଣେ ଖେଳାଳି କେବଳ ନିଜ ପଞ୍ଚାୟତରୁ ତଥା ଗୋଟିଏ ଦଳ ପାଇଁ ପ୍ରତିନିଧିତ୍ଵ କରିପାରିବେ । ଏଥିପାଇଁ ସଂପୃକ୍ତ ଖେଳାଳିଙ୍କ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ଜଣାଯାଇଛି । ରାଜନୈତିକ ଚିନ୍ତାଧାରାରୁ ଉର୍ଦ୍ଧ୍ୱରେ ରହି ଗ୍ରାମାଞ୍ଚଳ ସ୍ତରରେ କ୍ରୀଡ଼ା ଓ କ୍ରୀଡାବିତଙ୍କୁ ଉତ୍ସାହିତ କରିବା ହେଉଛି ଏହି ପ୍ରତିଯୋଗିତାର ମୂଲ ଲକ୍ଷ୍ୟ । ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କମିଟି ସଭାପତି ରାମଚନ୍ଦ୍ର ସାହୁ, ସମ୍ପାଦକ ପ୍ରଶାନ୍ତ ନାୟକ, କାର୍ଯ୍ୟକାରୀ ସଭାପତି ନବକିଶୋର ନାଏକ, ଲୋଇସିଂହା ବ୍ଲକ କାର୍ଯ୍ୟକାରୀ ସଭାପତି ଗୌରାଙ୍ଗ ନାଏକ, ପୁଇଁନ୍ତଲା ବ୍ଲକ କାର୍ଯ୍ୟକାରୀ ସଭାପତି ଅଜିତ ପଣ୍ଡା, ଆଗଲପୁର ବ୍ଲକ କାର୍ଯ୍ୟକାରୀ ସଭାପତି ପିତାମ୍ବର କଣ୍ଟା, ଲୋଇସିଂହା ଏନ୍ଏସି କାର୍ଯ୍ୟକାରୀ ସଭାପତି ସୁଦୀପ ସା ପ୍ରମୁଖ ଉପସ୍ଥିତ ଥିଲେ ।