ଓଡିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ରାଜ୍ୟସଭାରେ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପ୍ରସ୍ତାବ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ବିଧାନସଭାର ବାଚସ୍ପତି ନିକଟରେ ନୂଆଦିଲ୍ଲୀ ଯାଇ ଫେରିଛନ୍ତି । ଡଃ.ସୂର୍ଯ୍ୟ ନାରାୟଣ ପାତ୍ର ଓଡିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ନୂଆଦିଲ୍ଲୀରେ ରାଜ୍ୟସଭାର ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଏ ଦିଗରେ ଏହି ପ୍ରକ୍ରିୟାକୁ ଯଥାଶୀଘ୍ର ତ୍ୱରାନ୍ୱିତ କରାଯିବାର ଆଶା ରହିଥିବା ଜଣାଯାଏ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ପ୍ରକ୍ରିୟା ତ୍ଵରାନ୍ୱିତ ହେଉଅଛି । ନୂଆଦିଲ୍ଲୀରେ ବାଚସ୍ପତି ଡ଼ଃ.ପାତ୍ର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଓଡ଼ିଶାର ରାୟଗଡାଠାରୁ ବେଳାଭୂମି ସହର ଗୋପାଳପୁର ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳ ସମ୍ପ୍ରସାରଣ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ବିଶଦ ଆଲୋଚନା କରିଥିଲେ । ଏହା ସାଂଗକୁ ଦିଗପହଣ୍ଡି ନିର୍ବାଚନମଣ୍ଡଳୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ତଥା ନିଜ ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟକୁ ତ୍ଵରାନ୍ନିତ କରିବାକୁ ଦିଲ୍ଲୀ ଗସ୍ତରେ ଯାଇ ଫେରିଛନ୍ତି ବାଚସ୍ପତି । ଗତ ତା. ୨୧/୧୦/୨୦୨୧ରୁ ୨୪/୧୦/୨୦୨୧ ରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଯାଇ ବାଚସ୍ପତି ଫେରି ଆସିଛନ୍ତି, ବୋଲି ସରକାରୀ ଭାବେ କୁହାଯାଏ । ନିଜ ନିର୍ବାଚନ ମଣ୍ଡଳୀର ମାଟିଆ ସାହି ଏବଂ ମଦନ ମୋହନପୁର ଗ୍ରାମର ଜନସାଧାରଣ ଦୈନନ୍ଦିନ କାର୍ଯ୍ୟରେ ଟ୍ରେନ୍ ଲାଇନ ଅତିକ୍ରମ କରୁଥିବାରୁ ଧନ ଓ ଜୀବନର ନିରାପତ୍ତା ପାଇଁ ଓଭର ବ୍ରିଜ୍ କିମ୍ବା ଅଣ୍ଡର ପାସ୍ ନିର୍ମାଣ ପାଇଁ ରେଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏତଦ୍ ବ୍ୟତୀତ ୧୫ ବର୍ଷରୁ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାଧିକରଣକୁ ଦିଗପହଣ୍ଡିଠାରେ କେନ୍ଦ୍ରୀୟ ବିଦ୍ୟାଳୟର କୋଠା ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯାଇଛି । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର କୋଠା ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦେଇନାହାନ୍ତି । ତୁରନ୍ତ ଆବଶ୍ୟକ ପାଣ୍ଠି ପ୍ରଦାନ କରିବାକୁ ବାଚସ୍ପତି ଡଃ. ପାତ୍ର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । କୁକୁଡାଖଣ୍ଡିରେ ବହୁ ସରକାରୀ କର୍ମଚାରୀ କାର୍ଯ୍ୟ କରୁଥିବା ଦୃଷ୍ଟିରୁ ସେମାନଙ୍କ ପିଲାମାନେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା କରୁଥିବାରୁ ସେଠାରେ ମଧ୍ୟ ଅନ୍ୟ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁରୋଧ କରିଥିଲେ । ବାଚସ୍ପତିଙ୍କ ଅନୁରୋଧ ଅନୁଯାୟୀ ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀଦ୍ୱୟ ରାଜି ହୋଇଛନ୍ତି । ବାଚସ୍ପତି ମଧ୍ୟ ସମ୍ବିଧାନ କ୍ଲବ, ରଫି ମାର୍ଗଠାରେ ଅନୁଷ୍ଠିତ ଅଖିଳ ଭାରତୀୟ ବୈଶ୍ୟ ସମ୍ମିଳନୀରେ ଯୋଗ ଦେଇ ଦେଶର ପ୍ରଗତିରେ ସେମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.