ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜନଗହଳିପୂର୍ଣ୍ଣ ଓ ସଭ୍ୟ ସମାଜରେ ବାସ କରୁଥିବା ସ୍ଥାନରେ ରହିଛି ବିଦେଶୀ ମଦ ଦୋକାନ । ଏହି ବିଦେଶୀ ମଦ ଦୋକାନ (ଏଫ୍ଏଲ୍ ଅଫ୍ ସପ୍)ଗୁଡିକ ପୁଣି ଗ୍ରାହକଙ୍କ ଠାରୁ ନେଉଛନ୍ତି ମଦ ବୋତଲରେ ମୁଦ୍ରିତ ଦାମ୍ ଠାରୁ ଅଧିକ ଦାମ୍ । କେହି ଯଦି ପ୍ରତିବାଦ କରେ ତାକୁ ନାଲି ଆଖି ଦେଖାଇ ଚୁପ୍ କରିଦେବା ଏମାନଙ୍କର ମଧ୍ୟ କାର୍ଯ୍ୟ ହୋଇଛି । ରାଉରକେଲା ସହରର ଉଦିତନଗର ଆମ୍ବେଦକର ଛକ ସମ୍ମୁଖରେ ସୁପର ମାର୍କେଟରେ ଏଭଳି ଏକ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଛି । ଏହି ବିଦେଶୀ ମଦ ଦୋକାନ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଥିବାବେଳେ, ଏହା କୌଣସି ଲୋକଙ୍କୁ ଖାତିର ନକରି ମନଇଚ୍ଛା ଦାମରେ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗ ହେଉଛି । ବିଦେଶୀ ମଦ ବୋତଲ ଉପରେ ଲେଖାଯାଇଥିବା ମୁଦ୍ରିତ ଦାମ୍ ଠାରୁ ଅଧିକ ଦାମରେ ମଦ ବିକ୍ରୟ କରି ଜଣେ ଭଦ୍ର ଲୋକଙ୍କ ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗତ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତି ଭଲ ବ୍ରାଣ୍ଡର ମଦ ଆଣିବା ପାଇଁ ତାଙ୍କର ଜଣେ ଅନୁଗତଙ୍କୁ ପଠାଇ ଥିଲେ । ଅନୁଗତ ଜଣକ ଦୋକାନରୁ ଏକ ବୋତଲ ବିଦେଶୀ ମଦ ଆଣି ତାଙ୍କୁ କେତେ ଟଙ୍କା ଦେବା ପାଇଁ ପଚାରିଥିଲେ । ଦୋକାନୀ ତାଙ୍କୁ ୨୭୦୦ ଟଙ୍କା କହିବାରୁ ସେ ଆଶ୍ଚର୍ଯ୍ୟ ହୋଇ, ୨୬୩୦ ଟଙ୍କାର ବିଦେଶୀ ମଦକୁ ୨୭୦୦ ଟଙ୍କା କାହିଁକି ପଚାରିବାରୁ ଦୋକାନୀ ତାଙ୍କୁ ନାଲି ଆଖି ଦେଖାଇବାରୁ ପାଟିତୁଣ୍ଡ ହୋଇଥିଲା । ସେଠାରେ ଭଦ୍ରବ୍ୟକ୍ତି (ଆଇନଜୀବୀ ସୁରେଶ ଦାସ ପହଞ୍ଚି, ପୋଲିସକୁ ଫୋନ୍ କରିଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାକୁ ନେଇ ଆପୋଷ ସମାଧାନ କରିଥିବା ଜଣାପଡିଛି । ଏ ସମ୍ପର୍କରେ ରାଉରକେଲା ଅବକାରୀ ଅଧିକ୍ଷକଙ୍କୁ ଭେଟିବାରୁ ସେ କହିଥିଲେ ଯେ, ବୋତଲ ଉପରେ ମୁଦ୍ରିତ ମୂଲ୍ୟ ଠାରୁ କେହି ଅଧିକ ମୂଲ୍ୟ ନେଇପାରିବେ ନାହିଁ । ଏଥିସହିତ ମଦ ଦୋକାନୀମାନେ ବିଲ୍ ମଧ୍ୟ ଦେବା ଉଚିତ୍ । ଏଥିସହିତ ସେ ଘଟଣାର ଅନୁସନ୍ଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ରାଉରକେଲା ଅବକାରୀ ଜିଲ୍ଲାରେ ୩୯ଟି ବିଦେଶୀ ଠିପି ବନ୍ଦ ମଦ ଦୋକାନରୁ ୩୭ଟି ଚାଲୁଛି । ସେହିପରି ରାଉରକେଲା ସହରେ ୨୧ଟି ବାର୍ (ବିଦେଶୀ ଠିପି ଖୋଲା ମଦ ଦୋକାନ) ଚାଲୁଥିବା ବେଳେ ୩ଟି କ୍ଲବରେ ମଧ୍ୟ ବାର୍ ରହିଛି ।
Next Post