କଳାହାଣ୍ଡି ଜିଲ୍ଲାରୁ ଚାଲାଣ ହେଉଛି ବ୍ୟାପକ ନକଲି ବିଦେଶୀ ମଦ : କଳାବଜାରୀ ହେଉଛି କି କିରୋସିନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ବଲାଙ୍ଗିର ଏବଂ କଳାହାଣ୍ଡି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳରେ ବ୍ୟାପକ ପରିମାଣରେ ନକଲି ବିଦେଶୀ ମଦ ସହ ବ୍ୟାପକ ପରିମାଣରେ କିରୋସିନ କଳାବଜାର ହେଉଥିବାର ଏକ ବଡ଼ ଅଭିଯୋଗ ହେଉଛି । ତେବେ ଗତ ଜୁନ ମାସ ୩୦ ତାରିଖ ଦିନ ଟିଟିଲାଗଡ଼ ଅବକାରୀ ବିଭାଗ ଟିଟିଲାଗଡ଼ ବ୍ଲକ ଅଧୀନସ୍ଥ ମାର୍ଲାଡ଼ ଗାଁ ଦେଇ ଯାଇଥିବା ଉନ୍ଦେର ନଦୀ ବ୍ରିଜ ଉପରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଟିଟିଲାଗଡ଼ ଅବକାରୀ ବିଭାଗ ଅଧିକାରୀ ଦେବରାଜ ଖମାରୀ ଏକ ଧଳା ରଙ୍ଗର ଏସୟୁଭି (ଯାହାର ନମ୍ବର ଓଡ଼ି୦୮ଏନ୍‌୬୫୭୫) ଗାଡିକୁ ସନ୍ଦେହ କରି ଯାଞ୍ଚ କରିବାରୁ ଗାଡି ଭିତରୁ କାର୍ଟୁନ କାର୍ଟୁନ ବିଦେଶୀ ମଦ ବାହାରିଥିଲା । ବିଭିନ୍ନ କମ୍ପାନୀର ବିଦେଶୀ ମଦ ଚାଲାଣ ହେଉଥିବା ଟିଟିଲାଗଡ଼ ଅବକାରୀ ବିଭାଗ ଜାଣି ପାରିଥିଲା । ପରେ ଗାଡିକୁ ଟିଟିଲାଗଡ଼ ଅବକାରୀ ବିଭାଗ ଅଫିସକୁ ଆଣି ପଚରା ଉଚରା କରିବା ସହ ତଦନ୍ତକୁ ବ୍ୟାପକ କରାଯାଇଥିଲା । ପରେ ଗାଡି ଭିତରୁ ନକଲି ବେଆଇନ ବିଦେଶୀ ମଦ ରୟାଲ ଷ୍ଟେକ୍‌, ନମ୍ବର ୱାନ, ଆଇ.ଭି.ବି. ସେଭେନ, କିଙ୍ଗ ଫିସର୍‌ ବିୟର ସମେତ ଆହୁରି ଅନେକ ନାମୀ ଦାମୀ କମ୍ପାନୀର ନକଲି ବିଦେଶୀ ମଦ ଜବତ କରିଥିଲା । ଏନେଇ ଦୁଇ ଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଦୁଇ ଜଣ ମଦ ମାଫିଆ ଉକ୍ତ ମଦ ସବୁ କଳାହାଣ୍ଡି ଜିଲ୍ଲାର ସେପୁରର ଏକ ଏଫଏଲ ସପ୍‌ରୁ ଆଣି ଗାଁ ଗାଁ ରେ କୁଚିଆ ମାନଙ୍କୁ କମ୍‌ ଦରରେ ବିକ୍ରି କରୁଥିବା ତଥ୍ୟ ସାମ୍ନାକୁ ଆସିଥିଲା । ସେପୁରର ଫରେନ ଲିକର ଦୋକାନରୁ ପ୍ରତିଦିନ ନକଲି ବିଦେଶୀ ମଦ ଟିଟିଲାଗଡ଼ ବ୍ଲକ ଅଧୀନସ୍ଥ ତଥା ସଇଁତଲା ଏବଂ ବଙ୍ଗୋମୁଣ୍ଡା ବ୍ଲକ ଅଧୀନସ୍ଥ ଉପାନ୍ତ ଅଞ୍ଚଳ ମାନଙ୍କୁ ଦେଉଥିବା ତଦନ୍ତରୁ ଅବକାରୀ ବିଭାଗ ଆଭାସ ପାଇଥିଲା । ପରେ ଗାଡିକୁ ଯାଞ୍ଚ କରିବାରୁ କଳାହାଣ୍ଡି ଜିଲ୍ଲାର ଆଉ ଏକ କେଳେଙ୍କାରୀ ତଥ୍ୟ ବାହାରକୁ ଆସିଥିବା ଜଣାପଡିଛି । ଉକ୍ତ ଏସୟୁଭି ଗାଡିରୁ କଳାହାଣ୍ଡି ଜିଲ୍ଲାର ଅନେକ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଅନେକ ରିଟେଲର ମାନଙ୍କୁ ଦିଆଯାଉଥିବା କିରୋସିନର ପାଖାପାଖି ୯ ଗୋଟି ରେଜିଷ୍ଟର ବାହାରିଥିଲା । ଉକ୍ତ କିରୋସିନ ରେଜିଷ୍ଟର ମଦ ମାଫିଆଙ୍କ ଗାଡିକୁ କେମିତି ଆସିଲା ବୋଲି ଗଣମାଧ୍ୟମ ପ୍ରତିନିଧି ସମେତ ବିଭାଗୀୟ ଅଧିକାରୀ ମାନେ ଅଟକ ଥିବା ଦୁଇ ଜଣଙ୍କୁ ପଚାରିଥିବା ବେଳେ କୌଣସି ସନ୍ତୋଷଜନକ ଉତ୍ତର ମଦ ମାଫିଆ ମାନେ ଦେଇ ପାରି ନଥିଲେ । ତେବେ ରେଜିଷ୍ଟରରେ ଅନେକ ଦୁର୍ନୀତିର ଗୁମର ରହିଥିବା ଆଲୋଚନା ହେଉଛି । ମଦ ମାଫିଆ ମାନଙ୍କ ଗାଡିକୁ କିରୋସିନ ରେଜିଷ୍ଟର କେମିତି ଆସିଲା ? ଆଉ ଏକ ବ୍ୟାଗ କଳା ରଙ୍ଗର ରହିଥିବା ବେଳେ ବ୍ୟାଗରେ ତାଲା ପକାଇ ଚାବି ନ ଥିବା କହିବା ବିଷୟ କିରୋସିନ କଳାବଜାରର ଆଉ ଏକ ଫାଇଲ ବା ତଥ୍ୟ ବ୍ୟାଗ ଭିତରେ ଥିଲା କି ? କେତେବେଳେ ବ୍ୟାଗ ଭିତରେ ଟଙ୍କା ଥିବା ଅଟକ ଦୁଇଜଣ କହୁଥିବା ବେଳେ ଆଉ କେତେବେଳେ ବ୍ୟାଗ ଭିତରେ କାଗଜ ପତ୍ର ରହିଥିବା କହିବା ସହ ବ୍ୟାଗ ଆଉ ଜଣଙ୍କର ବୋଲି କହିବା ବିଷୟ ଘଟଣାକୁ ଆହୁରି ସନ୍ଦେହ ଘେରକୁ ଆଣିଛି । କଳାହାଣ୍ଡି ଜିଲ୍ଲା ସେପୁର ଗାଁର ଏଫଏଲ ସପ୍‌ ମାଲିକ ଏହି କିରୋସିନ କଳାବଜାରରେ ଜଡିତ ଅଛନ୍ତି କି ? ଯଦି ନାହିଁ ତ ଅଟକ ଦୁଇଜଣ ଏହି କିରୋସିନ କଳାବଜାରରେ ସାମିଲ ରହିଛନ୍ତି କି ? ନା ସମ୍ପୃକ୍ତ ଅଞ୍ଚଳର କିରୋସିନ ଡିଲର ଏମାନଙ୍କ ସହ ଭିତିରି ସମ୍ପର୍କ ରଖିଛି ? ତେବେ ଏହା ଉପରେ ବ୍ୟାପକ ତଦନ୍ତ ହେବାର ଆବଶ୍ୟକତା ରହିଛି । ବିଦେଶୀ ମଦ ମାଫିଆର ମାଷ୍ଟର ମାଇଣ୍ଡ ସମେତ କିରୋସିନ ତେଲର କଳାବଜାରୀ ଉପରେ ବି ବ୍ୟାପକ ତଦନ୍ତ ହେବାର ଆବଶ୍ୟକତା ରହିଛି । ଚୋରା ମଦ ମାଫିଆ ଏବଂ ଏହି କାର୍ୟ୍ୟରେ ଲିପ୍ତ ରହିଥିବା ମୁଖ୍ୟ କାର୍‌ପଟ୍‌ଦାର୍‌କୁ ଠାବ କରିବାରେ ଟିଟିଲାଗଡ଼ ଅବକାରୀ ବିଭାଗ କେତେ ସଫଳ ହେଉଛି ଏବଂ ଏହି ସବୁ ସସ୍ପେନ୍ସରୁ କେବେ ପରଦା ଉଠୁଛି, ତାହାରି ଉପରେ ଏବେ ନଜର ।

Leave A Reply

Your email address will not be published.