- ପାଇକମାଲ ତହସିଲଦାର ସିନ୍ଧୁସୁତା ପାତ୍ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କଲେ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଜିଲ୍ଲାପାଳ କୁମାରୀ ସ୍ନେହା ଅରୁଗୁଲା ଆଜି ପଦ୍ମପୁର କାର୍ଯ୍ୟାଳୟରୁ ଔପଚାରିକ ଭାବେ ବିଦାୟ ନେଇଛନ୍ତି । ଏହି ଅବସରରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି, ତାଙ୍କର କାର୍ଯ୍ୟକାଳୀନ ସେବା, ନେତୃତ୍ୱ ଓ ଉତ୍କୃଷ୍ଟ ପ୍ରଶାସନିକ କୌଶଳକୁ ସ୍ମରଣ କରିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଦ୍ମପୁର ଉପଖଣ୍ଡର ସମଗ୍ର ଉନ୍ନତି, ଲୋକସେବାର ଦୃଢ଼ ପରିଚାଳନା ଏବଂ ସରକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସରକାରଙ୍କ ନୂତନ ନିଯୁକ୍ତି ଅନୁଯାୟୀ, କୁମାରୀ ଅରୁଗୁଲାଙ୍କୁ ପୁରୀ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ସେ ଏହା ସହିତ ପୁରୀ ମୁନିସିପାଲ କର୍ପୋରେସନର କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ନିଭାଇବେ । ପୂର୍ବରୁ ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ପରିଷଦର ସିଡିଓ ଭାବେ ଯେଉଁ ବଦଳି ହୋଇଥିଲା, ତାହା ବାତିଲ କରାଯାଇଛି । ଏହି ସନ୍ଦର୍ଭରେ, ପାଇକମାଲ ତହସିଲଦାର ଶ୍ରୀମତୀ ସିନ୍ଧୁସୁତା ପାତ୍ର ପଦ୍ମପୁର ଉପ ଜିଲ୍ଲାପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ଔପଚାରିକ ଭାବେ କାର୍ଯ୍ୟଭାର ଗ୍ରହଣ କରି ପ୍ରଶାସନିକ କାର୍ଯ୍ୟ ସୁଚାରୁ ଭାବେ ଚାଲିବା ପାଇଁ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି । ବିଦାୟୀ ଅବସରରେ କୁମାରୀ ସ୍ନେହା ଅରୁଗୁଲା ତାଙ୍କର ସହକର୍ମୀ ମାନଙ୍କୁ ଧନ୍ୟବାଦ ଜଣାଇ ଭବିଷ୍ୟତରେ ମଧ୍ୟ ଲୋକସେବା ପ୍ରତି ନିରନ୍ତର ଅତୁଟ ସମର୍ପଣ ରଖିବେ ବୋଲି କହିଥିଲେ । ଶେଷରେ ଉପସ୍ଥିତ ସଭ୍ୟମାନଙ୍କ ଦ୍ୱାରା କୁମାରୀ ଅରୁଗୁଲାଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା ଏବଂ ତାଙ୍କର ଭବିଷ୍ୟତ ଜୀବନ ଓ କାର୍ଯ୍ୟକ୍ଷେତ୍ର ପାଇଁ ଶୁଭେଚ୍ଛା ଦିଆଯାଇଥିଲା ।