jayashree

ବ୍ୟାଙ୍କ ଅଧିକାରୀ ବଟକୃଷ୍ଣ ଶତପଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଜଣାଶୁଣା ବ୍ୟାଙ୍କ ଅଧିକାରୀ (ଭାରତୀୟ ଷ୍ଟେଟ ବ୍ୟାଙ୍କ) ବଟକୃଷ୍ଣ ଶତପଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଦୀର୍ଘ ୩୮ ବର୍ଷ ଷ୍ଟେଟ ବ୍ୟାଙ୍କର ଜଣେ ଦାୟିତ୍ଵ ସମ୍ପନ୍ନ କର୍ମଚାରୀ, ଜଣେ ସମାଜସେବୀ, ପରୋପକାରୀ ଓ ବହୁମୁଖି ପ୍ରତିଭାର ଅଧିକାରୀ ଭାବେ ସେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ସେ କାର୍ଯ୍ୟରତ ଥିବା ବେଳେ ସେ ପ୍ରତ୍ୟେକଟି ଗ୍ରାହକଙ୍କର ସନ୍ତୁଷ୍ଟି ପାଇଁ ଚେଷ୍ଟା କରିଥାନ୍ତି ଓ ତାହାକୁ ସୁଚାରୁ ରୂପେ ପୂର୍ଣ୍ଣ କରିଥାନ୍ତି । ସେ ବ୍ୟାଙ୍କ୍ ଭିତରେ ଏବଂ ବାହାରେ ସବୁ ଷ୍ଟାଫ ଓ ଗ୍ରାହକମାନଙ୍କ ସହିତ ସୁନ୍ଦର ବ୍ୟବହାର, ମଧୁର ସମ୍ପର୍କ, ସର୍ବୋପରି ଆତ୍ମୀୟତାର ସହିତ ଗୋଟିଏ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସ ସମସ୍ତଙ୍କ ହୃଦୟରେ ତାଙ୍କ ପ୍ରତି ଭଲ ପାଇବା ସୃଷ୍ଟି କରି ପାରିଥିଲା । ନିଜର ଏହି ଗୁଣ ପାଇଁ ଷ୍ଟେଟ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନଙ୍କଠାରୁ ବହୁ ବାର ପ୍ରଶଂସା ପତ୍ର ପାଇଛନ୍ତି । ଏହା ସହ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅନେକ ଉଚ୍ଚ ପଦସ୍ଥ ଅଫିସର, ପୁଲିସ ପ୍ରଶାସନ, ବିପିୟୁଟି ଭଳି ଅନେକ ସ୍ଥାନରୁ ପ୍ରଶଂସା ପତ୍ର ପାଇବା ସହିତ ପୁରସ୍କୃତ ମଧ୍ୟ ହୋଇଛନ୍ତି । ଶତାଧିକ ଥର ରକ୍ତଦାନ କରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । କରୋନା ସମୟରେ ରୋଗୀମାନଙ୍କୁ ସେବା ଯୋଗାଇବା, ଶତାଧିକ ଶବ ସତ୍କାରରେ ସାମିଲ ହେବା, ଛେଣ୍ଡ ଶିବମନ୍ଦିର ଓ ସେକ୍ଟର ୮ରେ ତାରିଣୀ ମନ୍ଦିର ପ୍ରତିଷ୍ଠାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । କାର୍ଯ୍ୟକାଳ ମଧ୍ୟରେ ସେ ସେକ୍ଟର ୧୪, ରାଉରକେଲା ଟାଉନସିପ, ସେକ୍ଟର ୧ ଏବଂ ଆର୍‌ବିଇଓ ରାଉରକେଲା ଭଳି ଜାଗାରେ ନିଷ୍ଠାର ସହିତ କାର୍ଯ୍ୟ କରିଛନ୍ତି । ସେ ଏସ୍‌ବିଆଇ ଷ୍ଟାଫ୍ ଆସୋସିଏସନ୍‌ର ବରିଷ୍ଠ କର୍ମକର୍ତ୍ତା ଭାବେ ଦାୟିତ୍ଵ ନିର୍ବାହ କରି ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଏତଦ୍ ବ୍ୟତୀତ ସେ ଜଣେ ସଂସ୍କୃତି ପ୍ରେମୀ କଳନୁରାଗୀ ମଧ୍ୟ । ତାଙ୍କ ଜୀବନରେ ସେ ଅନେକ ନାଟକ ଓ ସାଂସ୍କୃତିକ କାର୍ଯ୍ୟ କରି ଲୋକମାନଙ୍କ ପାଖରେ ଉଚ୍ଚ ପ୍ରଶଂସିତ ହୋଇ ପାରିଛନ୍ତି । ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ରାଉରକେଲା ଆଞ୍ଚଳିକ ଶାଖା କାର୍ଯ୍ୟାଳୟଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ ଅସୀମ କୁମାର ଘୋଷ ମୁଖ୍ୟ ଅତିଥି, ଉପମହାପ୍ରବନ୍ଧକ ସରୋଜ ରାଉତରାୟ, ମୁଖ୍ୟ ମହାପ୍ରବନ୍ଧକ ରାମକୃଷ୍ଣ ମେହେର, ମାନବ ସମ୍ବଳ ପ୍ରବନ୍ଧକ ମଦନ ମୋହନ ସାହୁଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ଶ୍ରୀ ଶତପଥୀଙ୍କ ଗୁଣଗାନ କରିବା ସହ ସମ୍ବର୍ଦ୍ଧିତ କରି ଅଶ୍ରୁଳ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ଶତପଥୀ ଅବସର ପରେ ମଧ୍ୟ ମାନବ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.