ଯୋଗଗୁରୁ ମନୋରମା ରାଉତଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ): ସେକ୍ଟର ୨୦ ପତାଞ୍ଜଳି ଯୋଗ ସମିତିର ସାଧାରଣ ସମ୍ପାଦିକା ମନୋରମା ରାଉତଙ୍କୁ ସେକ୍ଟର ୨୦ ସ୍ଥିତ ସୋମନାଥ ମନ୍ଦିର ପ୍ରାଙ୍ଗଣରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମିତି ତରଫରୁ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନୋରମାଙ୍କ ଯୋଗ ପାଇଁ ସମର୍ପିତ ମନୋଭାବକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତ ରଖିଥିଲେ । ଅନ୍ୟଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ଯୋଗଗୁରୁ ଅକ୍ରୁର ମାର୍ଥା, କପିଳେଶ୍ୱର ମହାରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିଡମ୍ବିନୀ ସ୍ୱାଇଁ, ନରେନ୍ଦ୍ର ବେହେରା, ପୀତବାସ ପ୍ରଧାନ, ଅରୁଣ କୁମାର ପରିଡ଼ା, ପ୍ରଫୁଲ୍ଲ ପାତ୍ର, ଗୋଲାପୀ ମାର୍ଥା, ଆରତୀ କର, ଗଙ୍ଗାଧର ପଣ୍ଡା ପ୍ରମୁଖ ଯୋଗଦେଇ ମନୋରମାଙ୍କ କାର୍ଯ୍ୟ ଶୈଳୀ,ପରକୁ ଆପଣାର କରିବା ଉଦ୍ୟମକୁ ପ୍ରଶଂସା କରିଥିଲେ । ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ସ୍ମୃତିରେଖା, ପୁଷ୍ପଲତା ଓ ମୀନାକ୍ଷୀ ସ୍ୱାଗତ ସଂଗୀତ ଗାନ କରିଥିଲାବେଳେ ସନ୍ଧ୍ୟାରାଣୀ ପତ୍ରୀ, ରୋଜାଲିନ ମଲ୍ଲିକ, ଆରତୀ ଦାଶ ପ୍ରମୁଖ ଶ୍ରୀମତୀ ରାଉତଙ୍କ ଉଦ୍ଦେଶ୍ୟରେ କବିତା ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଶ୍ରମତୀ ରାଉତଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଛ ପ୍ରଭୁତି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବିଭିନ୍ନ ଯୋଗ ସମିତିର କର୍ମକର୍ତ୍ତା ଓ ନଜ ଅନୁଷ୍ଠାନର ସମସ୍ତ ସଦସ୍ୟା ତାଙ୍କୁ ସମ୍ମାନିତ କରିଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀମତୀ ରାଉତ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ ତାଙ୍କ ଅନୁସ୍ଥିତିରେ ଯୋଗ କ୍ଲାସ ନିୟମିତ ତଥା ସବୁବେଳେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀମତୀ ରାଉତ ଦୀର୍ଘ ଦିନ ଧରି ଏହି ଯୋଗ ସମିତିର ସାଧାରଣ ସମ୍ପାଦିକା ଦାୟିତ୍ଵ ତୁଲାଇ ସହରର ଏକ ପ୍ରମୁଖ ସମତି ରୂପେ ପରିଚୟ ଦେଇଥିଲେ । ସମ୍ପ୍ରତି ସ୍ୱାମୀଙ୍କ ଅବସର ପରେ ସେ ଭୁବନେଶ୍ୱରରେ ଅବସ୍ଥାନ କରୁଥିବାରୁ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.