ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ଲୁହାଖାନ ଗ୍ରାମରେ ଗୋଟିଏ ବୁଲା କୁକୁରର ମୁହଁରେ ଏକ ପ୍ଲାଷ୍ଟିକ ଡବା ପଶି ଯାଇଥିବାରୁ ଲୋକଙ୍କ କହିବା ଅନୁସାରେ ୧୫ ଦିନ ଧରି ନଖାଇ ଗ୍ରାମରେ ଘରକୁ ଘର ପଶି ଯାଉଥିଲା । ଆଖି ପର୍ଯ୍ୟନ୍ତ ଡବା ପଶି ଯାଇଥିଲା । ଡବାଟି ଧଳା ରଙ୍ଗ ଥିବାରୁ କୁକୁରଟି ଦେଖି ପାରୁଥିଲା କିନ୍ତୁ ଖାଇ ପାରୁନଥିଲା । ପ୍ରତ୍ୟେକ ଦିନ ପାଣିକୁ ପଶି ଯାଉଥିଲା । ଡବାରେ ପାଣି ପଶିଗଲେ ସେହି ପାଣିକୁ ପିଇ ଜୀବନ ବଞ୍ଚାଇ ରଖିଥିଲା । ଘରକୁ ଘର ଯାଇ ସାହାଯ୍ୟ ଖୋଜୁଥିଲା । ଲୋକେ ସହାନୁଭୂତି ଦେଖାଉଥିଲେ କିନ୍ତୁ କାଳେ କାମୁଡି ଦେବ ଏହି ଭୟରେ କୁକୁରର ମୁହଁରୁ ପ୍ଲାଷ୍ଟିକ୍ ଡବାକୁ କାଢ଼ି ପାରୁନଥିଲେ । ପ୍ରକୃତିବଂଧୁ ମୀନକେତନ ସାହୁ ଲୁହାଖାନ ଗ୍ରାମକୁ ‘ବଞ୍ଚିବା ପାଇଁ ଗଛଟିଏ’ ପରିବେଶ ସଚେତନତା ଅଭିଯାନରେ ଯାଇ ଥିବା ବେଲେ ତାଙ୍କର ନଜରକୁ ଆସିବା ପରେ ସେ ସାମାଜିକ କର୍ମୀ ଦିପା ବାରିକ ସହାୟତାରେ ପ୍ରାଣୀ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରାଣୀ ବିଭାଗ ତରଫରୁ ପ୍ରାଣୀ ଚିକିତ୍ସକ ଡାକ୍ତର ରୋଜାଲି ଭଞ୍ଜଦେଓ ନେତୃତ୍ୱରେ ପ୍ରାଣୀଧନ ନିରିକ୍ଷକ ବୁଡାମାଲ ଓ ବରିକେଳର ଯଥାକ୍ରମେ ରେବତୀ ମେହେର ଓ ମୀନକେତନ ସାହୁ ପ୍ରାଣୀ ବିଭାଗର ଭ୍ରାମ୍ୟମାଣ ଭେନ୍ ଯୋଗେ ପହଞ୍ଚି ଲୋକଙ୍କ ସହାୟତାରେ କୁକୁରର ମୁହଁରୁ ପ୍ଲାଷ୍ଟିକ୍ ଡବା କାଢ଼ି କୁକୁରକୁ ଉଦ୍ଧାର କରିଥିଲେ । ଏ ଅଂଚଳରେ ତାଲିମପ୍ରାପ୍ତ କୁକୁର ଧରିବା ଲୋକ(ଡଗ୍ କେଚର୍) ନଥିବାରୁ ଏଭଲି ଅନେକ କୁକୁର ସହାୟତା ଅଭାବରୁ ମୃତ୍ୟୁବରଣ କରୁଥିବାର ଓ ପାଗଳ ବୁଲା କୁକୁରର ଆତଙ୍କ ଯୋଗୁ ଲୋକେ ମଧ୍ୟ ହଇରାଣ ହେଉଥିବାର ଦେଖାଯାଏ । ପ୍ରତ୍ୟେକ ବ୍ଲକରେ ସରକାରଙ୍କ ତରଫରୁ ତାଲିମ ପ୍ରାପ୍ତ ଡଗ୍ କେଚର୍ ନିଯୁକ୍ତି ଦେବାକୁ ଦାବିହୁଏ । ବୁଲା କୁକୁର ବିପଦମୁକ୍ତ ସୁରକ୍ଷିତ ନିମନ୍ତେ ପ୍ରାଣୀ ବିଭାଗ ସହିତ ସିଆର୍ପିସିଏମ୍ ଅନୀତା ଗଡତିଆ, ସୁକଦେବ ଗଡତିଆ, ଯୁଧିଷ୍ଠିର ବାରିକ, ବସୁଦେବ ମେହେର, ପ୍ରକୃତିବଂଧୁ ମୀନକେତନ ସାହୁ ଓ ଗ୍ରାମବାସୀଙ୍କ ଉଦ୍ୟମ ଅତୀବ ପ୍ରଶଂସନୀୟ ।