
- ବିସ୍ତୃତ ବିବରଣୀ ପ୍ରକାଶ କଲେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ପୋଲିସ୍ ଜିଲ୍ଲାର ବିଗତ ଦିନମାନଙ୍କରେ ଘଟିଥିବା କ୍ରାଇମ୍ ଘଟଣାବଳୀର ବିସ୍ତୃତ ବିବରଣୀ ପ୍ରକାଶ କରାଯାଇଛି । ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ । ଏଥିସହିତ ଘଟଣାବଳୀକୁ ଯଥାଶୀଘ୍ର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିବା ପୋଲିସ୍ ଅଫିସରମାନଙ୍କୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି । ରାଉରକେଲା ପୋଲିସ୍ ଜିଲ୍ଲାରେ ଗତ ବର୍ଷକ ମଧ୍ୟରେ ୬ହଜାର ୩ଶହ ଏଫ୍ଆଇଆର୍ ରୁଜ୍ଦୁ ହୋଇଥିଲା ବେଳେ ପୋଲିସ୍ କ୍ରାଇମ୍ ରୋକିବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛି । ଠିକ୍ ସମୟ ତଦନ୍ତ କରିବା ସହ କ୍ରାଇମ୍ ରୋକି ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ପ୍ରଚେଷ୍ଟା ଜାରିରଖିଛି । ହ୍ୱାଟସ୍ ଆପ୍ ମାଧ୍ୟମରେ ଆସିଥିବା ୮୪୦ ଅଭିଯୋଗ ଉପରେ ପୋଲିସ୍ ତଦନ୍ତ କରି, ଅଧିକନ୍ତୁ ମାମଲାକୁ ବନ୍ଦ୍ କରିଛି, ଯାହାର ଅଂଶ ହେଉଛି ୮୨ ପ୍ରତିଶତ । ସେହିପରି ଅପରେସନ ସୁରକ୍ଷା ମାଧ୍ୟମରେ ଆସିଥିବା ୧୩୪୦ ମାମଲାକୁ ଚିହ୍ନିତ କରାଯାଇ, ୬୪୦ଟିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି ଏବଂ ୬୭ ଜଣଙ୍କୁ ଏହି ତଦନ୍ତରୁ ଗିରଫ୍ କରାଯାଇଛି । ପେଟ୍ରୋଲିଂକୁ କଡାକଡି କରାଯିବା ସହ ଅସାମାଜିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ସେହିପରି ଅନୁସନ୍ଧାନ ଆପ୍ ମାଧ୍ୟମରେ ରୁଜ୍ଦୁ ହୋଇଥିବା ସମସ୍ତ ଏଫ୍ଆଇଆରର ଅପଡେଟ୍ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଛି ବୋଲି ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି । ସ୍କ୍ରାପ୍ ବ୍ୟବସାୟକୁ ରୋକିବା ପାଇଁ ସ୍କ୍ରାପ୍ ଦୋକାନକୁ ବନ୍ଦ କରାଯାଇଛି । ରାସ୍ତା ଦୁର୍ଘଟଣାକୁ ରୋକିବା ପାଇଁ ଦୁର୍ଘଟଣା ଜନିତ ସ୍ଥାନକୁ ନଜରରେ ରଖାଯାଇଛି । ପଳାତକଙ୍କୁ ଧରିବା ପାଇଁ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣ ସ୍ଥାନରେ ମଦ ଓ ମାଦକଦ୍ରବ୍ୟ ସେବନ କରୁଥିବା ନିଶାଖୋରଙ୍କୁ ଧରିବା ପାଇଁ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । କ୍ରାଇମ୍ ରୋକିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଭାବରେ ଡ୍ରୋନ୍ ବ୍ୟବହାର କରାଯାଉଛି ବୋଲି ସୂଚନା ଦିଆଯାଇଛି । ସର୍ବୋପରି କ୍ରାଇମ୍ ରୋକିବା ପାଇଁ ରାଉରକେଲା ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ଗତ ୩ ମାସ ମଧ୍ୟରେ ୫ଟି ଡକାୟତି ଘଟଣାକୁ ଧରାଯାଇ ସଫଳତା ହାସଲ କରାଯିବା ସହ ୬ ମାସ ମଧ୍ୟରେ ୬୮ ପ୍ରତିଶତ ସଫଳତା ହାସଲ କରାଯାଇପାରିଛି । ସେହିପରି ସ୍ୱତନ୍ତ୍ର ଯାଞ୍ଚ କରାଯାଇ ୨୬ଟି ମାରଣାସ୍ତ୍ର (ବନ୍ଧୁକ, ଗୁଳି ଓ ଅନ୍ୟ ମାରଣାସ୍ତ୍ର) ଜବତ୍ କରାଯାଇଛି । ୧୦,୨୦୦ ଲିଟର ବିଦେଶୀ ମଦ ଜବତ୍ କରାଯାଇଛି । ଗତ ୩ ମାସ ମଧ୍ୟରେ ପୋଲିସ୍ ଦ୍ୱାରା ୪୦ଲକ୍ଷ ଟଙ୍କା ଉଦ୍ଧାର କରାଯାଇଛି । ଗତ ସାଢେ ୪ ମାସ ମଧ୍ୟରେ କୌଣସି ଛିନତାଇ ଘଟଣା ଘଟି ନଥିବା ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ପେଟ୍ରୋଲିଂ ଏବଂ ଯାଞ୍ଚ ବ୍ୟବସ୍ଥା କରାଯାଇ ଗତ ୩ ମାସ ମଧ୍ୟରେ ୧୨ଟି ଏନଡିପିଏସ୍ ମାମଲା, ୩୭୮ଟି ମାଦକଦ୍ରବ୍ୟ ମାମଲା, ମଦ୍ୟପାନ କରି ଗାଡି ଚାଳନା କରୁଥିବା ଅଭିଯୋଗରେ ୨୪୧ଟି ମାମଲା, ସ୍କ୍ରାପ୍/ସ୍ମଗଲିଂ ଘଟଣାରେ ୧୮ଟି ମାମଲା ଏବଂ ବାଲି ଚୋରାଚାଲାଣ ଘଟଣାରେ ୪୬ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ବିଚାରବିଭାଗୀୟ ଜେଲକୁ ପଠାଇ ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ବିଗତ ୬ ଦିନ ମଧ୍ୟରେ ରାଉରକେଲାରେ ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର ଯାଞ୍ଚ କରାଯାଇ ଏପ୍ରିଲ୍ ୧୧ରୁ ୧୬ ତାରିଖ ମଧ୍ୟରେ ୧୩୧ଟି ମାଦକଦ୍ରବ୍ୟ ମାମଲା, ଗୋଟିଏ ଜୁଆ ମାମଲା, ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଘଟଣାରେ ୨୮୭ ଜଣଙ୍କୁ, ମଦ୍ୟପାନ କରି ଗାଡି ଚାଳନା କରୁଥିବା ଅଭିଯୋଗରେ ୪୭ ଜଣଙ୍କୁ, ଏନବିଡବ୍ଲୁରେ ୮ ଗିରଫ ସହିତ ଜେଲ ଏନବିଡବ୍ଲୁରେ ୧୨ ଜଣ, ବାଲି ଚୋରାଚାଲାଣରେ ୭, ଥାନାରେ ପ୍ରତିଦିନ ହାଜିରା ଦେବା ପାଇଁ ୫୬ ଜଣ ଏବଂ ବେଆଇନ୍ ଭାବେ ମାରଣାସ୍ତ୍ର ରଖିବା ମାମଲାରେ ଜଣଙ୍କ ଠାରୁ ଗୁଳି ଜବତ୍ କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନୀ ସୂଚନା ଦେଇଛନ୍ତି ।