- ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର
- ଆଦିବାସୀ ଓ କନ୍ଧସମାଜ ମଧ୍ୟରେ ବିଭେଦ ଗ୍ଧୃଷ୍ଟି କରୁଛନ୍ତି ଲକ୍ଷ୍ମଣ ମେହେର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ୧୯ ବର୍ଷ ହେବ ଖଇରଗୁଡା ଓ କୁମୁରିଆ ଠାରେ ୨୦୦୬ ମସିହାରୁ ମିଳିତ ଭାବେ ଏକ କାଳୀନ ଶୁଲିଆ ଯାତ୍ରାର ଆୟୋଜନ ହୋଇ ଆସୁଥିଲା । କିନ୍ତୁ ଏ ବର୍ଷ ବିଜେଡି ନେତା ଲକ୍ଷ୍ମଣ ମେହେର ମନ୍ଦ ରାଜନୈତିକ ଉଦ୍ଦେଶ୍ୟ ରଖି ଆଦିବାସୀ କନ୍ଧସମାଜ ମଧ୍ୟରେ ବିଭେଦ ସୃଷ୍ଟି କରିବା ସହ ଶୁଲିଆ ଯାତ୍ରାର ମହାନ ସଂସ୍କୃତି ଓ ପରମ୍ପରାକୁ ଭଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ଶୁଲିଆ ମହୋତ୍ସବ କମିଟି ପକ୍ଷରୁ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଆଦିବାସୀ ଓ ମାନବ ଅଧିକାର କମିଶନରଙ୍କୁ ଲିଖିତ ଭାବେ ଅଭିଯୋଗ କରାଯାଇଛି । ତେବେ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ମହୋତ୍ସବରେ ଲକ୍ଷ୍ମଣ ମେହେରଙ୍କୁ ବଏକଟ୍ କରିବା ସହ ଲକ୍ଷ୍ମଣ ମେହେରଙ୍କ ଅନୁପ୍ରବେଶକୁ ସମ୍ପୁର୍ଣ୍ଣ ବନ୍ଦ କରା ନଯାଏ ତାହେଲେ ଯାହା ଅଘଟଣ ଘଟିବ ସେଥି ପାଇଁ ଜିଲ୍ଲାପ୍ରଶାସନ ଦାୟୀ ରହିବେ ବୋଲି ଶୁଲିଆ ମହୋତ୍ସବ କମିଟି ପୂର୍ବରୁ ଚେତାଇ ଦେଇଛି । ସରଳ ଆଦିବାସୀ କନ୍ଧ ସମାଜ କାହିଁ କେଉଁ ଯୁଗରୁ ଶୁଲିଆ ବୁଢାକୁ ପୂଜା କରି ସମାଜର ଶୁଭ ମନାସି ଥାଏ । କିଛି ଅସାମଜିକ ତତ୍ୱଙ୍କ ଅନୁପ୍ରବେଶ ଯୋଗୁଁ ମିଳିତ ଭାବେ ଅନୁଷ୍ଠିତ ହୋଇ ଆସୁଥିବା ଶୁଲିଆ ଯାତ୍ରା ଦୁଇ ଭାଗରେ ବିଭକ୍ତ ହୋଇଥିଲା । ଏଭଳି ସ୍ଥିତିରେ ସମାଜର ଜ୍ଞାନୀ, ଗୁଣି ଓ ବୟସ୍କଙ୍କ ଉଦ୍ୟମ କ୍ରମେ ଦୁଇ ଭାଗରେ ବିଭକ୍ତ ହୋଇଥିବା ଶୁଲିଆ ମହୋତ୍ସବକୁ ୨୦୦୬ ମସିହାରେ ପୁଣି ଏକ ମଞ୍ଚକୁ ଆଣି ମିଳିତ ଭାବେ ମହୋତ୍ସବର ଆୟୋଜନ ହୋଇଥିଲା । ଉକ୍ତ ଦିନ ଠାରୁ ସମାଜ ଏକ ମନ ଏକ ପ୍ରାଣରେ ଶୁଲିଆ ମହୋତ୍ସବକୁ ମିଳିତ ଭାବେ ପାଳନ କରି ଆସୁଥିଲା । କିନ୍ତୁ ଏବର୍ଷ ଲକ୍ଷ୍ମଣ ମେହେର ଶୁଲିଆ ମହୋତ୍ସବ କମିଟିର ଅନିଚ୍ଛା ସତ୍ୱେ ଆଦିବାସୀ କନ୍ଧମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ବଳ ପୂର୍ବକ ଅନୁପ୍ରବେଶ କରି ସମାଜ ମଧ୍ୟରେ ଫାଟ ସୃଷ୍ଟି କରିବାର ହୀନ ପ୍ରୟାସ କରୁଛନ୍ତି । ଆଠଗାଁ ଜମିନଦାର ସହିଦ ଧରମ ସିଂ ମାଝୀ ମାନ୍ଧାତା ସ୍ମୃତି କମିଟିକୁ ହାତ ବାରିସି କରି ଭୀମଡୁଙ୍ଗୁରି, ଭୀମପାହାଡ ମହୋତ୍ସବ ତଥା ଶୁଲିଆ ମହୋତ୍ସବରେ ଅଯାଚିତ ଭାବେ ପ୍ରବେଶ କରି ଆଦି ସଂସ୍କୃତି ଓ ପରମ୍ପରା, ଭୀମ ବୁଢାର ଗାଥା ଓ ପ୍ରଥାକୁ ବିଲୋପ କରିବାର ଅପଚେଷ୍ଟା କରୁଛନ୍ତି । କନ୍ଧମାନଙ୍କ ବହୁ ପ୍ରତିକ୍ଷୀତ ଶୁଲିଆ ଯାତ୍ରା ସରଳ କନ୍ଧ ଭାଇମାନଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରି ଆସନ୍ତା ମହୋତ୍ସବକୁ ବିଭ୍ରାନ୍ତ କରିବାର ଏକ ହୀନ ଉଦ୍ୟମ କରୁଛନ୍ତି । ଦୀର୍ଘ ୧୯ ବର୍ଷ ହେବ ଜଣକ ନେତୃତ୍ୱରେ ଏକତାର ସୁରରେ ବାନ୍ଧି ହୋଇଥିବା ଶୁଲିଆ ଯାତ୍ରାର ଦୁଇ ଖଳାର କନ୍ଧଭାଇ ମାନଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ସୃଷ୍ଟି କରି ଶ୍ରୀ ମେହେର ନିଜ ମନ୍ଦ ଉଦ୍ଦେଶ୍ୟ ସ୍ଥାପନ କରି ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ବିଲୋପ କରିବାକୁ ଅପଚେଷ୍ଟା କରୁଛନ୍ତି । ତେଣୁ ଗତ ୨୪/୧୨/୨୪ରେ ଆୟୋଜିତ ଏକ ମିଳିତ ବୈଠକରେ ସହିଦ ଧରମ ସିଂ ମାଝୀ ମାନ୍ଧାତା ସ୍ମୃତି କମିଟି, ଭୀମ ପାହାଡ ମହୋତ୍ସବ ଓ ଶୁଲିଆ ମହୋତ୍ସବ ଭଳି କନ୍ଧମାନଙ୍କ ପରମ୍ପରା ଓ ଯାନିଯାତ୍ରା ପାଳନ କ୍ଷେତ୍ରମାନଙ୍କରେ ଲକ୍ଷ୍ମଣ ମେହେରଙ୍କୁ ବାଦ ଦେବା ସହ ତାଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନକୁ ଦାବି କରାଯାଇଛି ।