ଆଦିବାସୀ ଛାତ୍ରୀ ନିବାସ ପାଲଟିଛି ଭୂତକୋଠି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମଠାରେ ୨୦୧୨-୧୩ ମସିହାରେ ଏକ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇଥିବା ବେଳେ ଆଜିକୁ ୧୦/୧୧ ବର୍ଷ ବିତିଯାଇଥିଲେ ମଧ୍ୟ ଏଠାରେ କୌଣସି ଛାତ୍ରୀ ଏଠି ନ ଥିବାରୁ ଏହା ଭୂତକୋଠି ଓ ମଦୁଆ ମାନଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଅଛି । ସୂଚନା ଅନୁସାରେ ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ ଛାତ୍ରୀ ଏଠାରେ ରହି ନାହାନ୍ତି ହେଲେ ସରକାରଙ୍କ ଲକ୍ଷ ଲକ୍ଷ ଅର୍ଥରେ ନିର୍ମିତ ଏହି ଛାତ୍ରୀ ନିବାସ କାହା ସ୍ଵାର୍ଥରେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ୨୦୧୧-ମସିହାରେ ତତ୍କାଳୀନ ଓଡ଼ିଶାର ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଏହି ଛାତ୍ରୀ ନିବାସକୁ ଉଦ୍‌ଘାଟନ କରିଥିଲେ । ଏହି ଛାତ୍ରୀ ନିବାସରେ ଦୀର୍ଘ ୧୦/୧୧ ବର୍ଷ ମଧ୍ୟରେ ଜଣେ ହେଲେ ଛାତ୍ରୀ ରହି ନଥିବା ବେଳେ ଏଠାରେ ଆର୍‌ଏଲ୍‌ଟିଏପି–୨୦୧୮- ୧୯ ମସିହାରେ ପାଞ୍ଚ ଲକ୍ଷ କୋଡିଏ ହଜାର ଛାତ୍ରୀ ନିବାସ ମରାମତି ପାଇଁ ଖର୍ଚ୍ଚ ହୋଇଥିବା ବେଳେ ବିକେବିକେ-୨୦୧୯-୨୦ ମସିହାରେ ପାଚେରୀ ମରାମତି ପାଇଁ ଖର୍ଚ୍ଚ କରାଯାଇ ଥିବାର ସୂଚନା ଫଳକରୁ ଜଣାପଡିଛି । ହେଲେ ବର୍ତ୍ତମାନ ସୁଦ୍ଧା ଜଣେ ମଧ୍ୟ ଛାତ୍ରୀ ଏଠାରେ ରହି ନଥିବା ବେଳେ ଏହି ଛାତ୍ରୀ ନିବାସରେ କିପରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ୧୦୦ ଶଯ୍ୟା ବିଶିଷ୍ଠ ଏହି ଛାତ୍ରୀ ନିବାସରେ ୧୦ ଜଣ ଅନୁସୂଚିତ ଜାତି ଏବଂ ୯୦ ଜଣ ଅନୁ ସୂଚିତ ଜନଜାତି ଛାତ୍ରୀ ରହିବାର ବ୍ୟବସ୍ଥା ରହିଅଛି । ଏହି ଛାତ୍ରୀ ନିବାସ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ପାଚେରୀ ନିର୍ମାଣ, ବିଦ୍ୟୁତ ସଂଯୋଗୀକରଣ, ମେଟ୍ରୋନ ନିଯୁକ୍ତି, ସିସିଏ ରୋଷେୟା ସହ ମହିଳା କର୍ମଚାରୀ ନିଯୁକ୍ତି ହୋଇଛନ୍ତି । ହେଲେ ଛାତ୍ରୀଙ୍କ ଦେଖାନାହିଁ । ଏଣୁ ଏହି ଆଦିବାସୀ ଛାତ୍ରୀ ନିବାସକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦ କିଶୋର ତାଣ୍ଡିଙ୍କୁ ଏ ବିଷୟରେ ପଚାରିବାରୁ ଏ ବିଷୟରେ ଜାଣି ନାହିଁ ତଦନ୍ତ କରି ଶୀଘ୍ର ଛାତ୍ରୀ ନିବାସକୁ ଆରମ୍ଭ କରାଯିବ ବୋଲି କହିଥିଲେ । ନୂଆପଡ଼ା ଜିଲ୍ଲାପାଳ ଏ ବିଷୟରେ ଆବଶ୍ୟକ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.