କେହି ଭୂମିହୀନ ନ ରହିବାକୁ ଲକ୍ଷ୍ୟ : ତହସିଲଦାରଙ୍କୁ ତାଲିକା ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ କେହି ଭୂମିହୀନ ନ ରହିବା ଲକ୍ଷ୍ୟ ନେଇ ୧୯୭୪ – ୭୫ ମସିହାରୁ ଭୂମିହୀନମାନଙ୍କ ପରିବାରକୁ ଚାରି ଡିସମିଲ ଘର ଡିହି ବିନା ପ୍ରିମିୟମରେ ଯୋଗାଇ ଦିଆଯାଉଥିଲା ପୁଣି ବସୁନ୍ଧରା ଯୋଜନାରେ ୧୦ ଡିସମିଲ୍‌ ପର୍ଯ୍ୟନ୍ତ ପରିଚାଳନା ବିଭାଗ ଦ୍ୱାରା ଓଡିଶା ସରକାରୀ ଜମି ବନ୍ଦୋବସ୍ତ ଆଇନ ୧୯୬୨ ଓ ନିୟମ ୧୯୮୩ ଅନୁସାରେ ଭୂମିହୀନ ଏବଂ ଗୃହଡିହ ହୀନ ନାମରେ ବନ୍ଦୋବସ୍ତ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଜମିର ବା ଘରଡିହର ପ୍ରକୃତ ପ୍ରବେଶ ଅଧିକାର ହିତାଧିକାରୀମାନଙ୍କୁ ଦିଆଯାଇନଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ହିତାଧିକାରୀମାନେ ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି । ୨୦୦୭ ମସିହାରେ ମୋ ଜମି ମୋ ଡିହ ନାମରେ ସ୍ୱତନ୍ତ୍ର ଅଭିଯାନ କରାଯାଇ ଶତ ପ୍ରତିଶତ ହିତାଧିକାରୀମାନଙ୍କୁ ଜମିର ଦଖଲ ଦିଆଯିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ତହସିଲରେ ପ୍ରଚାର ପ୍ରସାର ନାମରେ ୨୫୦୦୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇଥିଲା । ମୋ ଡିହ ମୋ ଜମି ମେଳା ନାମରେ ତହସିଲ ସ୍ତରରେ ଖର୍ଚ୍ଚ କରାଗଲା ସରକାରୀ କଲର ଉଦାସ ମନୋଭାବ ଯୋଗୁଁ ହିତାଧିକାରୀମାନେ ଜମିର ଦଖଲ ପାଇ ପାରିନାହାନ୍ତି । ଆଜି ଏହି ସମ୍ବନ୍ଧରେ ଭାରତୀୟ ଜନତା ପାର୍ଟି ଏସ୍‌ଟି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଗୋବର୍ଦ୍ଧନ ଭୋଏଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ତହସିଲଦାର ସରିତା ଗୁପ୍ତାଙ୍କୁ ସାକ୍ଷାତ କରି ଘରଡ଼ିହ ପଟ୍ଟା ପାଇଥିବା ପରିବାରଙ୍କର ତାଲିକା ପ୍ରଦାନ କରାଯାଇଥିଲା ଓ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସ୍ୱତନ୍ତ୍ର ଅଭିଯାନ କରାଯିବା ପାଇଁ ବୁରୋମୁଣ୍ଡା, ଗାଇସିଲେଟ, ଖଳାବାହାଲ, ଚିଖିଲି, ମଲମୁଣ୍ଡା ଗ୍ରାମମାନଙ୍କରେ ଜମି ଦଖଲ କରିବା ନିମନ୍ତେ ଦାବୀ କରାଯାଇଥିଲା । ଦାବୀପତ୍ର ପ୍ରଦାନ ସମୟରେ ସଞ୍ଜୟ ଜରଜରିଆ, ଯଜ୍ଞେଶ୍ୱର ପଧାନ, ସୁକେଶ ଥପା, ସୋମନାଥ ସାହୁ, ରଙ୍କମଣି ପଧାନ, ଅଚ୍ୟୁତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.