କୁଶଙ୍ଗରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ରାଜ୍ୟସଭା ସାଂସଦ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକର କୁଶଙ୍ଗ ଗାଁରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ସକାଶେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଭୂମି ପୂଜନ ଅବସରରେ ପ୍ରସ୍ତାବିତ କଲ୍ୟାଣ ମଣ୍ଡପ ପରିସରରେ ଏକ ସଭା ଆୟୋଜିତ ହୋଇଥିଲା । ବୃନ୍ଦାବନ ପୁଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଗୋବିନ୍ଦ ଅଗ୍ରୱାଲ, ପ୍ରଫୁଲ୍ଲ କୁମାର ତୁମୁନିଆଁ, ରାଧେକୃଷ୍ଣ ମିଶ୍ର ମଞ୍ଚାସୀନ ଥିଲେ । ସ୍ଥାନୀୟ ଅଞ୍ଚଳ ଉନ୍ନୟନ ପାଣ୍ଠିରୁ ସାଂସଦ ଶ୍ରୀ ବିଶି ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କୁଶଙ୍ଗ ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମରେ ଏକ ଭବ୍ୟ କଲ୍ୟାଣ ମଣ୍ଡପ ହେବ । ଏହାଦ୍ୱାରା ଗାଁର ସାଂସ୍କୃତିକ, ସାମାଜିକ, ବିବାହ ବ୍ରତ, ପର୍ବପର୍ବାଣୀ କାର୍ଯ୍ୟକ୍ରମ ସୁବିଧାରେ ହୋଇପାରିବ । କଲ୍ୟାଣ ମଣ୍ଡପ ପାଖରେ ଦେବୀବନ୍ଧ ଓ ଦେବୀକଟା ଥିବାରୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଗାଁବାସୀ ଦାବୀ କରିଥିଲେ । ଗାଁର ବିକାଶରେ ହିଁ ଭାରତର ବିକାଶ ହେବ । ତେଣୁ ଗାଁ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ବିକାଶ ଜରୁରୀ ବୋଲି ସାଂସଦ ଶ୍ରୀ ବିଶି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.