ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ହେଣ୍ଡଲୁମ୍ ମଲ୍ର ଭିତ୍ତି ପ୍ରସ୍ତର ସ୍ଥାପନ କରାଗଲା । ସୁବର୍ଣ୍ଣପୁର ଜିଲ୍ଲା ହସ୍ତତନ୍ତ ଓ ହସ୍ତଶିଳ୍ପ କାମ ପାଇଁ ଦେଶ ବିଦେଶରେ ଜଣାଶୁଣା ଅଟେ । ବୁଣାକାର ଓ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ରର ବହୁଳ ତଥା ସେମାନଙ୍କ ଅର୍ଥନୈତିକ ବିକାଶ ଉଦ୍ଦେଶ୍ୟରେ ପଶ୍ଚିମ ଓଡିଶା ବିକାଶ ପରିଷଦଙ୍କ ଦ୍ୱାରା ୬ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ଡବ୍ଲୁଓଡିସି ହେଣ୍ଡଲୁମ୍ ମଲ୍ ନିର୍ମାଣ ପାଇଁ ଆଜି ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ଡବ୍ଲୁଓଡିସିଙ୍କ ତରଫରୁ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଅର୍ଥ ମଞ୍ଜୁର କରିବା ସହିତ ସୁବର୍ଣ୍ଣପୁରଠାରେ ବିଜୁ ପଟ୍ଟନାୟକ ମହିଳା କଲେଜ କୋଠା ନିର୍ମାଣ ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଛି । ସେହିପରି ମହିଳା ଏସ୍ଏଚ୍ଜି ଦ୍ୱାରା ପରିଚାଳିତ ଉଲୁଣ୍ଡା ବ୍ଲକ୍ର ହିକୁଡିଠାରେ କାଫେଟେରିଆ ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଛି । ଡୁଙ୍ଗୁରିପାଲି ବ୍ଲକର ରାମପୁରଠାରେ ବିଜୁ ଗ୍ରାମୀଣ ବଜାର ପାଇଁ ୫୫ ଲକ୍ଷ ଟଙ୍କା ଓ ଷ୍ଟାଡିୟମ ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଏବଂ ସୋନପୁର ବ୍ଲକର ବଶେଶ୍ୱରପାଲିଠାରେ ଅନାଥ ଆଶ୍ରମର ଶ୍ରେଣୀ ଗୃହ ନିର୍ମାଣ ପାଇଁ ୨୯ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ମଧ୍ୟ ଦିଆଯାଇଛି ।