
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ସଦର ବ୍ଲକ ସ୍ଥିତ ସାଉନ୍ତମୁଣ୍ଡା ଠାରେ ସାଉନ୍ତମୁଣ୍ଡା କାଲିଝରନ ରାସ୍ତା ଶୁଭ ଭିତ୍ତିପ୍ରସ୍ତର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୧ କି.ମି. ରାସ୍ତାର ଅଟକଳ ମୂଲ୍ୟ ହେଲା ୭ କୋଟି ୬୧ ଲକ୍ଷ ଟଙ୍କା । ବହୁ ଦିନରୁ ଦାବୀ ହେଉଥିବା ଏହି ରାସ୍ତା ଯୋଗୁଁ ଏହି ବ୍ଲକର ସିନଖମନ, କନକପୁର, ସାଉନ୍ତମୁଣ୍ଡା, ଖଇସାବାହାଲ, ଶିକାଛିଡା, କୁଡାସିଂହା, ପ୍ରତାପପୁର, ଚିକଲବାହାଲ, ବିଡିଘାଟ, ପରଧିଆପାଲି, କାଲିଝରନ, ଘୁସୁରାଡୁଙ୍ଗୁରି, ଚାଣ୍ଟିମୁଣ୍ଡା ଏବଂ ଫଟକରା ଗ୍ରାମାଞ୍ଚଳର ପାଖାପାଖି ୧୨ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଭିତ୍ତିପ୍ରସ୍ତର ପରବର୍ତ୍ତୀ ସଭାରେ ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଗାଁବାସୀଙ୍କୁ କହିଥିଲେ, ଆପଣମାନଙ୍କ ଦାବୀ ମୁତାବକ ଦୀର୍ଘ ୧୧ କି.ମି ରାସ୍ତାର ଆଜି ଶୁଭ ଦିଆଯାଇଛି । ଏହି କାମ ଆସନ୍ତା ବର୍ଷ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏହି କାମ ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଯେପରି ଠିକ୍ ହିସାବରେ ଓ ଠିକ୍ ସମୟରେ କାମ ସମ୍ପୂର୍ଣ୍ଣ କରିପାରିବ ସେ ଦିଗରେ ଅଧିକାରୀମାନେ ଯତ୍ନବାନ ହେବା ସହ ଗାଁ ଲୋକମାନେ ମଧ୍ୟ ଏହାର ସହଯୋଗ କରିବା ଦରକାର । ଏହା ସହ ସେ ଆହୁରି ମଧ୍ୟ କହିଥିଲେ, ଏ ଅଂଚଳ ପାଇଁ ଦରକାର ହେଉଥିବା ରାସ୍ତା, ପାଣି ଓ ବିଜୁଳି ଯେମିତି ସମସ୍ତଙ୍କ ପାଇଁ ସୁନିଶ୍ଚିତ କରାଯିବ ସେ ଦିଗରେ ସେ ପ୍ରଚେଷ୍ଟା ଜାରି ରଖିଛନ୍ତି । କୌଣସି ଲୋକ ଯେମିତି କୌଣସି ପ୍ରକାର ସରକାରୀ ଯୋଜନାରୁ ବଂଚିତ ନ ହେବେ ସେଥିପାଇଁ ସେ ବାରମ୍ବାର ସରକାରୀ ଅଧିକାରୀମାନଙ୍କୁ ଚେତାଇ ଦେଉଛନ୍ତି । ତେଣୁ ଲୋକେ ଏ ଦିଗରେ ତାଙ୍କ ଅଧିକାର ପ୍ରତି ନିହାତି ସଚେତନ ହେବା ଦରକାର । ଗାଁ ସ୍କୁଲରେ ଠିକ୍ ପାଠପଢା ହେଉଛି ନା ନାହିଁ ତା’ ଉପରେ ଗ୍ରାମବାସୀ ଓ ଅଭିଭାବକମାନେ ଧ୍ୟାନ ଦେବା ଉଚିତ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ । ଆଜିର ଏହି ଭିତ୍ତିପ୍ରସ୍ତର ତରଫରୁ ବିଭାଗ ତରଫରୁ ନିର୍ବାହୀ ଯନ୍ତ୍ରୀ ନିର୍ମଳ ଚନ୍ଦ୍ର ଜେନା, ସହକାରୀ ଯନ୍ତ୍ରୀ ଜ୍ଞାନ ରଂଜନ ରାଉତଙ୍କ ସମେତ ରାମ ପ୍ରସାଦ ମିଶ୍ର, ସରୋଜ କୁମାର ରଥ, ଜୁଲୁ ପଟ୍ଟନାୟକ, ଜୟ ସାହୁ, ରଙ୍ଗାଧର ବାଗ, ଗୋପାଳ ଧରୁଆ, ଉମାକାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।