ମନ୍ତ୍ରୀ ଅର୍ଥ ଓ ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡିଶା ନିରଞ୍ଜନ ପୂଜାରୀଙ୍କ କରକମଳରେ ତେଲନଦୀ ବାମ ପାର୍ଶ୍ଵ ବନ୍ୟା ସୁରକ୍ଷା ଆଡିବନ୍ଧ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଜଳ ସେଚନ ବିଭାଗ ସୋନପୁର ଦ୍ୱାରା ତେଲନଦୀ କୂଳରେ ଆୟୋଜିତ ତେଲନଦୀ ବାମ ପାର୍ଶ୍ୱ ବନ୍ୟା ସୁରକ୍ଷା ଆଡିବନ୍ଧ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓଡିଶା ନିରଞ୍ଜନ ପୂଜାରୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଗତରକେଲାଠାରୁ ସୋନପୁର ତେଲନଦୀ ବ୍ରିଜ ପର୍ଯ୍ୟନ୍ତ ୦୦ ମି.ରୁ ୬୦୦୦ ମି. ପର୍ଯ୍ୟନ୍ତ ନିର୍ମାଣ ହେବାକୁ ଥିବା ବନ୍ୟା ସୁରକ୍ଷା ଆଡିବନ୍ଧ ନିର୍ମାଣ ପ୍ରକଳ୍ପ ନିମନ୍ତେ ଜଳ ସମ୍ପଦ ବିଭାଗ ଓଡିଶା ସରକାରଙ୍କ ଜଳସେଚନ ବିଭାଗ ସୋନପୁର ଦ୍ୱାରା ୧୫.୧୧କୋଟି ଅର୍ଥ ରାଶିର ବ୍ୟୟ ଅଟକଳ ରହିଥିବା ବେଳେ ୧୨ କୋଟି ୭୩ ଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ସୂଚନା ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପ ନିର୍ମାଣ ଦ୍ୱାରା ଜିଲ୍ଲାର ସୋନପୁର ପୌରାଞ୍ଚଳ ସହ ସୋନପୁର ବ୍ଲକ ଅଞ୍ଚଳ ଅନ୍ତର୍ଗତ ଗତରକେଲା, କୁଷ୍ଟାପାଲି, ଜନମୁରା, ବାଲଦାପାଲି, ହଲଦିପାଲି ମୌଜାର ୧୨,୩୦୦ ହେକ୍ଟର ପରିମିତ ବହୁମୂଲ୍ୟ ଚାଷ ଉପଯୋଗୀ ଜମିରେ ଉତ୍ପାଦିତ ଫସଲର ବିଶେଷ ସୁରକ୍ଷା ସହ ପ୍ରାୟ ୫୫,୦୦୦ ବିଶିଷ୍ଟ ଜନବସତି ସମୂହର ଧନ ଜୀବନର କ୍ଷୟକ୍ଷତିକୁ ସମ୍ଭାବ୍ୟ ବନ୍ୟାରୁ ସୁନିଶ୍ଚିତ ରକ୍ଷା କରିବା ସହ ଅଂଚଳର ତାପମାତ୍ରା ବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରିବାରେ ବେଶ ସହାୟକ ହେବ । ୧୧ ମିଟର ଉପର ଅଂଶ ଚଉଡା ବିଶିଷ୍ଟ ଏହି ହାଇ ଫ୍ଲଡ ପ୍ରତିରୋଧ ଆଡିବନ୍ଧ ସୋନପୁର ସହରର ଦ୍ରୁତ ଜନବସତି ତଥା ଜିଲ୍ଲା ବିକାଶରେ ଏକ ପ୍ରମୁଖ ଭୂମିକା ନେଇ ଭବିଷ୍ୟତରେ ଏହି ଆଡିବନ୍ଧ ଦେଇ ରିଙ୍ଗ ରୋଡ଼ର ବ୍ୟବସ୍ଥା କରାଯିବ । ଯାହା ଫଳରେ ସହର ତଥା ଜିଲ୍ଲାର ଗମନା ଗମନ, ଯାନବାହାନ ଯାତାୟତ ପ୍ରଭୁତି ସୁଗମ, ସହଜ ଓ ବ୍ୟବସ୍ଥିତ ହୋଇପାରିବ । ତା’ ସହିତ ଏହି ପ୍ରକଳ୍ପ ଜିଲ୍ଲା ବିକାଶର ଏକ ମାଇଲ ଖୁଣ୍ଟ ବୋଲି ମତବ୍ୟକ୍ତ କରିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ । ପୁନଶ୍ଚ ଏଥିସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସହ କୃଷି ଓ କୃଷକଙ୍କ ପ୍ରଗତି ନିମନ୍ତେ ଅଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ରମକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି । ଯେପରି କି ଅତି କମ୍‌ ଦିନ ମଧ୍ୟରେ ଜିଲ୍ଲାର ଜନସାଧାରଣ ପ୍ରକଳ୍ପର ସୁବିଧାକୁ ଉପଲବ୍ଧ କରିପାରିବେ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଳସେଚନ ମଣ୍ଡଳ ବଲାଙ୍ଗିର ଇଂ ସଂଜୀବ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟ ନାରାୟଣ ଦାଶ, ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ନିର୍ବାହୀ ଯନ୍ତ୍ରୀ ତେଲ ଜଳସେଚନ ବିଭାଗ, ସୋନପୁର ଇଂ ଜିତେନ୍ଦ୍ର କୁମାର ପାଢ଼ୀ, ସୋନପୁର ପୌରାଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାୟକ, ପୌର ଉପାଧ୍ୟକ୍ଷା ଶ୍ରୀମତୀ ମଳିକା ଦାନୀ, ବ୍ଲକ ଅଧ୍ୟକ୍ଷ ସୋନପୁର ପ୍ରହଲ୍ଲାଦ ନାୟକ ପ୍ରମୁଖ ମଂଚାସୀନ ଥିବା ବେଳେ କାର୍ଯ୍ୟକ୍ରମରେ ପୌରପରିଷଦର ସମସ୍ତ କାଉନସିଲର, ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ଜନସାଧାରଣ, ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜିଲ୍ଲାସ୍ତରୀୟ ସାମ୍ବାଦିକ ବୃନ୍ଦ ଉପସ୍ଥିତ ଥିଲେ । ଇଂ ସଜୋସ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଇଂ ଖଗେଶ୍ୱର ରାଉତ ଏସ.ଡି.ଓ. ଜଳସେଚନ ବିଭାଗ ସୋନପୁର ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.