ବାରିପଦା, (ଦେବସ୍ମିତ ଚୌଧୂରୀ) : ଦୀର୍ଘ ବର୍ଷ ପରେ ବାରିପଦାରେ ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟ ସଂଘର ମିଳିତ ଆନୁକୂଲ୍ୟରେ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଯୁବ କଳାକାରଙ୍କୁ ନେଇ ଏକ ନାଟ୍ୟ କର୍ମଶାଳା ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଶିକ୍ଷଣ ପରେ ଯୁବ କଳାକାରମାନଙ୍କ ଦ୍ୱାରା ୧୫ ତାରିଖ ଦିନ ସନ୍ଧ୍ୟାରେ କର୍ମଶାଳା ଭିତ୍ତିକ ନାଟକ “ଇତି ଯେବେ ହସେ” ସ୍ଥାନୀୟ ସହୀଦ ଭବନରେ ପରିବେଷିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ କର୍ମଶାଳାର ସଫଳତା ପାଇଁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଯୁବ କଳାକାରମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଡ. ବିଜୟ କୁମାର ଅଗ୍ରୱାଲ କର୍ମଶାଳା ଭିତ୍ତିକ ନାଟକ ଯୁବପିଢୀଙ୍କୁ ନାଟକ ପ୍ରତି ଆକୃଷ୍ଟ କରିବ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ନାଟ୍ୟସଂଘର ସମ୍ପାଦକ ଶୁଭକାନ୍ତ ପାଢ଼ୀ, ନାଟ୍ୟଶାଳାର ସଂଯୋଜକ ଧୀର ବଶା ଓ ବାରିପଦା କଳାକାର ପରିବାରର ସଭାପତି ସନ୍ତୋଷ ମହାନ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ନାଟ୍ୟଶାଳର ନିର୍ଦ୍ଦେଶକ ନବୀନ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବାବେଳେ ଜ୍ଞାନରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଅତୀତରେ ଉତ୍କଳର ସାଧବ ପୁଅମାନେ ଦୁରଦେଶକୁ ବଣିଜ କରିବାକୁ ଯାଇ ବହୁ ଧନସମ୍ପତ୍ତି ନେଇ ଘରକୁ ଫେରୁଥିଲେ । ଝିଅ ବୋହୁ ମାନେ ବୋଇତ ବନ୍ଦାଣ କରୁଥିଲେ । ବ୍ରିଟିଶ ଶାସନ ସମୟର ଜମିଦାରୀ ପ୍ରଥା ଏହି ଉତ୍କଳୀୟ ସଂସ୍କୃତି ଓ ପରମ୍ପରାକୁ ବେଶ ପ୍ରଭାବିତ କରିଥିଲା । ଏହା ହିଁ ନାଟକର ବିଷୟବସ୍ତୁ । ବିଶିଷ୍ଟ ଅଭିନେତା ଓ ନିର୍ଦ୍ଦେଶକ ଧୀର ବସାଙ୍କ ସଂଯୋଜନାରେ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ପରିଡାଙ୍କ ରଚିତ ଓ ନିର୍ଦ୍ଦେଶିତ ଏକ ଭିନ୍ନ ସ୍ୱାଦର ନାଟକଟି ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା ।