
ଭିନ୍ନକ୍ଷମ ଲୁକାୟିତ ପ୍ରତିଭାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ କରିଛି ଜଜବା : ୨୦ ଜଣ ପ୍ରତିଭାଙ୍କୁ ପ୍ରଦାନ କରାଗଲା ଜଜବା ପ୍ରତିଭା ସମ୍ମାନ

ଭୁବନେଶ୍ୱର, (କେପିଏନ୍ଏସ୍) : ଭିନ୍ନକ୍ଷମ ହେଲେ ବି ଆମେ ସକ୍ଷମ । ଏଭଳି କିଛି ଭିନ୍ନକ୍ଷମ ଅଛନ୍ତି ଯେଉଁମାନେ ସମାଜରେ ମୁଖ୍ୟ ସ୍ରୋତରେ ଏବେ ସାମିଲ ହୋଇ ନିଜର ପ୍ରତିଭାକୁ ବିକଶିତ କରିପାରିଛନ୍ତି । ଏଭଳି ପ୍ରତିଭାଙ୍କୁ ଆହୁରି ଆଗକୁ ନେବା ଓ ତାଙ୍କ ମୁହଁରେ ହସ ଫୁଟାଇବା ସହ ଅଧିକ ପ୍ରେରଣା ଦେବାକୁ ଜଜବା ଅନୁଷ୍ଠାନ ଆରମ୍ଭ କରିଛି ଏହି ପ୍ରୟାସ । ଆଜିର ଏହି ପବିତ୍ର ଉତ୍କଳ ଦିବସରେ ଏଭଳି ପ୍ରତିଭାକୁ ସମ୍ମାନିତ କରି ଗୌରବ ଅନୁଭବ କରୁଛି ଅନୁଷ୍ଠାନ । ଭୁବନେଶ୍ୱର ପଟିଆ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଉତ୍କଳ ଦିବସ ସମାରୋହ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବରେ ଜଜବାର ଅଧ୍ୟକ୍ଷ ସଫଦର୍ ହାଶିମ୍ଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଭାବେ ପଠାଣି ସାମନ୍ତ ପ୍ଲାନେଟରୀୟମର ଉପ ନିର୍ଦେଶକ ଡ ଶୁଭେନ୍ଦୁ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅନୁରାଧା ଦାଶ, ସମାଜସେବୀ ଡ. ମାଙ୍ଗଳିକା ମହାପାତ୍ର, ସମାଜସେବୀ ଲିନା ନନ୍ଦିତା ପରିଡା, ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅନୁଶାସନ ସଚିବ ସନ୍ୟାସୀ ବେହେରା, ପଲ୍ଲୀରୁ ଦିଲ୍ଲୀର ସମ୍ପାଦକ ଉମାଶଙ୍କର ସାହୁ ଯୋଗଦେଇ ପ୍ରତିଭାମାନଙ୍କୁ ସମ୍ମାନିତ କରିବା ସହ ଆଶିଷ ବାଣୀ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ୨୦ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ପ୍ରଥମେ ଅତିଥି ମାନେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମୂଳ ବିନ୍ଧାଣି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜଜବାର ମୁଖପାତ୍ର ଅଫରୀନ ଖାଁନ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଅଭିନେତା ବାବୁ ରାଜା, ବିଭୁଦତ୍ତ ଦାସ, ଶିଳ୍ପା ସହଯୋଗ ପ୍ରଦାନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଜଜବା ପକ୍ଷରୁ ପ୍ରତି ବର୍ଷର ପ୍ରତ୍ୟେକ ସମୟରେ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ପ୍ରୟାସ ଜାରି ରଖିଛି । କୋଭିଡ୍ ସହାୟତା ଠାରୁ ଆରମ୍ଭ କରି ରାସ୍ତା କଡ଼ରେ ଫୁଟପାଦରେ ଶୋଇଥିବା ଲୋକଙ୍କୁ କମ୍ବଳଠାରୁ ଆରମ୍ଭ କରି ଶୁଖିଲା ଖାଦ୍ୟ ପର୍ଯ୍ୟନ୍ତ ବଣ୍ଟନ କରିଛି । କେବଳ ଭୁବନେଶ୍ଵର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି କାର୍ଯ୍ୟକ୍ରମ ଜାରି ରଖିଛି ଅନୁଷ୍ଠାନ । ଆହୁରି ମଧ୍ୟ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସିଲେଇ ମେସିନ, ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସହାୟତା ସାମଗ୍ରୀ, ଭିନ୍ନକ୍ଷମଙ୍କ ପାଇଁ ସହାୟତା ପ୍ରଦାନ କରି ଆସୁଛି ଅନୁଷ୍ଠାନ । କେବଳ ସେତିକି ନୁହେଁ କୋଭିଡ୍ ସମୟରେ ବସ୍ତି ବାସିନ୍ଦାଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ ସହ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରିଆସିଛି ଅନୁଷ୍ଠାନ । ଏଭଳି ବହୁ କାର୍ଯ୍ୟ କରି ବେଶ୍ ପ୍ରଶଂସିତ ହୋଇଛନ୍ତି ଅନୁଷ୍ଠାନ ଅଧ୍ୟକ୍ଷ ସଫଦର୍ ହାଶିମ ।