୯ମ ଭୀମପାହାଡ ମହୋତ୍ସବର ମଶାଲ ଶୋଭାଯାତ୍ରାରେ ସାମିଲ ହେଲେ ହଜାର ହଜାର ସଂଖ୍ୟାରେ ଭକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ଆଜିଠାରୁ ୯ମ ଭୀମପାହାଡ ମହୋତ୍ସବ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ଦେଓଗାଁ ବ୍ଲକର ଜରାସିଂହାର ପାଟଖଣ୍ଡାପୀଠ ଓ କୁମୁରିଆ ଗାଁରୁ ସୁଲିଆପୀଠରୁ ଦୁଇଟି ମଶାଲକୁ ଶୋଭାଯାତ୍ରାରେ ଅଣାଯାଇଥିଲା । ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଦୁଇ ମଶାଳ ଭୀମଡୁଙ୍ଗୁରୀଠାରେ ପହଞ୍ଚିଲା ପରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, କମିଟିର ସଭାପତି ପ୍ରମୋଦ ବହିଦାର(କୁନୁ) ଓ କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ସେହି ମଶାଳକୁ ଗ୍ରହଣ କରିଥିଲେ । ସେମାନଙ୍କଠାରୁ ମଶାଳକୁ ଗ୍ରହଣ କରି ଆଦିବାସୀ ନେତ୍ରୀ ତଥା ବଲାଙ୍ଗିର ଜିଲ୍ଲାପରିଷଦର ଉପାଧ୍ୟକ୍ଷା ମିଥିଲା ମାଝୀ ପୂଜାର୍ଚ୍ଚନା କରି ମହୋତ୍ସବସ୍ଥଳୀରେ ସ୍ଥାପନ କରିଥିଲେ । ଜରାସିଂହାର ପାଟଖଣ୍ଡା ଦେବୀପୀଠରୁ ଅଣାଯାଇଥିବା ମଶାଳକୁ ପାଟଖଣ୍ଡାଙ୍କ ପୂଜକ ସନ୍ତୋଷ ଥନାପତି ତଥା ବ୍ରଜେନ୍ଦ୍ର ନାରାୟଣ ଆଥ୍‌ଲେଟିକ ଆସୋସିଏସନର ସନ୍ତୋଷ ସାହୁ, ନନ୍ଦିକିଶୋର ନାଏକ, ପ୍ରଶାନ୍ତ ଥନାପତି, ହଳଧର କୁଅଁର, ଚିନ୍ତାନମଣୀ ଭୋଇ, ବିଟୁ କର୍ତ୍ତି, କମ୍ପ ସେଠ ପ୍ରମୁଖ ନେଇ ଆସିଥିଲେ । ରାସ୍ତାରେ ମଶାଳକୁ କୁଲିଆବାହାଲ, ବଡଡୁଙ୍ଗୁରିପାଲି, ପାଣ୍ଡେଲ, ମହଲେଇ, ଉପରଝର, ରୁଗୁଡିପାଲି ଗ୍ରାମରେ ଭବ୍ୟସ୍ୱାଗତ କରାଯାଇଥିଲା । ସେହିପରି କୁମୁରିଆ ସୁଲିଆବୁଢା ପୀଠରୁ ମୁଖ୍ୟପୂଜକ ହରିହର ଝାଙ୍କର, ମାନଧାତା ଝାଙ୍କର, ହେମନ୍ତ କୁଅଁର, ହେମାନ୍ତ ମାଝୀ ଓ ତାଙ୍କ ସାଥୀମାନେ ମଶାଳକୁ ଏକ ଶୋଭାଯାତ୍ରାରେ ଆଣିଥିଲେ । କୁମୁରିଆର ଶହ ଶହ ସଂଖ୍ୟାରେ ଆଦିବାସୀମାନେ ତାଙ୍କର ପାରଂମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବାଜା ବଜାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଭୀମଡୁଙ୍ଗୁରୀର ପାହାଡ ତଳେ ଏକ ସଭା ହୋଇଥିଲା । ସେଠାରେ ମହୋତ୍ସବର ବିଷୟରେ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର କହିଥିବା ବେଳେ ମୁଖ୍ୟଅତିଥି ଥିବା ଜିଲ୍ଲାପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ ଏହି ମହୋତ୍ସବ ଭୀମପାହାଡକୁ ପରିଚୟ ଦେଇଛି ଓ ଆଦିବାସୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଧପାଲିର ଗୋବର୍ନ୍ଧନ ସାହୁ, କୁତୁର୍ଲାର ଧରଣୀଧର ନାଏକଙ୍କ ସମେତ ମହୋତ୍ସବ କମିଟିର ଅନ୍ୟାନ୍ୟ ସମସ୍ୟମାନେ ଉପସ୍ଥିତ ରହିଥିଲେ ।

ସଂଧ୍ୟାରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ ସଭା ଓ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଦେଓଗାଁର ଜିଲ୍ଲାପରିଷଦ ସଭ୍ୟା ମମତା କୁମୁରା ଓ ସୁମତି ସେଠ ଯୋଗଦେବେ । ଠିକ୍‌ ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ସାଂସ୍କୃତିକ ଦଳ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାବଣ ଦରବାର ଅନୁଷ୍ଠିତ ହେବ ।

Leave A Reply

Your email address will not be published.