ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା । ଡ଼ୁଲୁରୀ ପାଇନ ବଣ ସମେତ ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, କିସୁବାଡ଼ି ଜଳପ୍ରପାତରେ ପର୍ଯ୍ୟଟକମାନେ ବଣଭୋଜି କରି ମଜା ନେଇଥିଲେ । ସାଙ୍ଗସାଥୀ ପରିବାର ବନ୍ଧୁ ବର୍ଗଙ୍କ ସହ ଦାରିଙ୍ଗବାଡ଼ି ଆସି ଏହି ବଣ ଭୋଜି କରିଥିବା ଜଣାପଡ଼ିଛି । ତେବେ ବିଦ୍ୟୁତ ବିଭାଗ ପକ୍ଷରୁ ରବିବାର ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଦ୍ୟୁତ୍ କାଟି ଦିଆଯାଇଥିଲା । ବିଦ୍ୟୁତ ରକ୍ଷଣାବେକ୍ଷଣ ପାଇଁ ଏଭକି ବିଦ୍ୟୁତ୍ କାଟ କରାଯିବାକୁ ପୂର୍ବ ସୂଚନା ମୁତାବକ କରାଯାଇଥିଲା, କିନ୍ତୁ ସକାଳ ୮ଟାରୁ କଟାଯାଇଥିବା ବିଦ୍ୟୁତ୍ ସନ୍ଧ୍ୟା ୫ଟା ପରେ ମଧ୍ୟ ଆସି ନ ଥିବାରୁ ହିଲଭିୟୁ ପାର୍କରେ ଶତାଧିକ ପର୍ଯ୍ୟଟକ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଥିଲା । ସେମାନଙ୍କ ଉଦ୍ଦେଶ୍ୟ ରହିଥିଲା ଶିଶୁ ପର୍ଯ୍ୟଟକଙ୍କୁ ଟୟ ଟ୍ରେନରେ ବୁଲାଇବା ଓ ନୂତନ ଭାବେ ସ୍ଥାପନ ହୋଇଥିବା ମ୍ୟୁଜିକାଲ ଫାଉଣ୍ଟେନ ତଥା ରଙ୍ଗବେରଙ୍ଗ ଆଲୁଅରେ ମ୍ୟୁଜିକ୍ ଫାଉଣ୍ଟେନକୁ ଦର୍ଶକ ତଥା ପର୍ଯ୍ୟଟକ ମଜା ନେବେ । କିନ୍ତୁ ଏଥିରେ ମଜା ନେବାରୁ ବଞ୍ଚିତ ହେଲେ ପର୍ଯ୍ୟଟକ ଓ ନିରାଶରେ ଫେରୁଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି । ହିଲଭିୟୁ ପାର୍କକୁ ଆସିଥିବା ଶହ ଶହ ପର୍ଯ୍ୟଟକ ନିରାଶ ହୋଇଛନ୍ତି । ବିଡିଓ ଏନେଇ ବିଦ୍ୟୁତ ବିଭାଗକୁ ଶୀଘ୍ର ବିଦ୍ୟୁତ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଦ୍ୟୁତ ବହୁ ବିଳମ୍ବରେ ଆସିଥିବାରୁ ପର୍ଯ୍ୟଟକ ନିରାଶ ହୋଇଛନ୍ତି ଓ ହିଲଭିୟୁ ପାର୍କରେ ଟିକେଟ ବାବଦକୁ ରାଜସ୍ୱହାନି ହୋଇଥିବା ଜଣାପଡ଼ିଛି । ଏନେଇ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କୁ ପଚାରି ବୁଝିବାରୁ ରକ୍ଷଣାବେକ୍ଷଣ କାର୍ଯ୍ୟ ସରିବାରେ ବିଳମ୍ବ ଘଟିବାରୁ ବିଦ୍ୟୁତ ବିଳମ୍ବରେ ଦିଆଗଲା ବୋଲି କହିଥିଲେ ।
Prev Post