
- ୨୦୨୪ରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ରାଜ୍ୟସ୍ତରରେ ଆୟୋଜନ କରାଯିବ
- ଭୁବନେଶ୍ୱରରେ ଗଙ୍ଗାଧର ଭବନ ପାଇଁ ସରକାର ଜମି ଯୋଗାଇ ଦେବେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (କେପିଏନ୍ଏସ୍) : ସ୍ୱଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର ଗର୍ବ ଓ ଗୌରବ । ତାଙ୍କର ଅନନ୍ୟ ସାରସ୍ୱତ ପ୍ରତିଭା ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଛି । ତାଙ୍କର କାଳଜୟୀ କୃତି କେବଳ ଓଡ଼ିଆ ନୁହେଁ ଭାରତୀୟ ସାହିତ୍ୟ ଜଗତରେ ଅକ୍ଷୟ କୀର୍ତ୍ତିମାନ ସ୍ଥାପନ କରିଛି ।
ଏହି ମହାନ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଉପଯୁକ୍ତ ଭାବରେ ଆୟୋଜନ କରାଯିବା ସଂପର୍କରେ ନିଖିଳ ଓଡିଶା ମେହେର (ଭୁଲିଆ) ସମାଜର ଏକ ପ୍ରତିନିଧି ଦଳ ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ ।
ଏହି ବୈଠକରେ କବିଙ୍କ ସ୍ମୃତିରେ ଭୁବନେଶ୍ବର ଠାରେ ଏକ ଭବନ ନିର୍ମାଣ କରାଯିବା ସହିତ ସ୍ବଭାବ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ମାର୍ଚ୍ଚ ୨୦୨୪ରେ ଆୟୋଜନ କରାଯିବା ସଂପର୍କରେ ଆଲୋଚନା ହୋଇଥିଲା ।
ସ୍ୱଭାବ କବିଙ୍କର ସ୍ମୃତିରେ ଭୁବନେଶ୍ୱରରେ ଏକ ଭବ୍ୟ ଭବନ ନିର୍ମାଣ କରାଯିବା ସହିତ କବିଙ୍କର ଶ୍ରାଦ୍ଧ ଶତବାର୍ଷିକୀ ଓ ମହାସଭା ୨୦୨୪ରେ ଉପଯୁକ୍ତ ଭାବରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଥିଲେ ।
ଏଥିନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ୧୯୨୪ ମସିହାରେ ସ୍ୱଭାବ କବି ମେହେର ସମାଜ (ଭୁଲିଆ)କୁ ସଂଗଠିତ କରି ବରପାଲି ଠାରେ ଏକ ମହାସଭାର ଆୟୋଜନ କରିଥିଲେ । ଏହି ଭୁଲିଆ ସମାଜ ପରବର୍ତ୍ତୀ ସମୟରେ ନିଖିଳ ଓଡିଶା ମେହେର(ଭୁଲିଆ) ସମାଜରେ ପରିଣତ ହୋଇଥିଲା ।
ଓଡିଆ ଜାତିର ପ୍ରାତଃ ସ୍ମରଣୀୟ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ରକ୍ଷା ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।
ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ହସ୍ପିଟାଲ ଛକ, ବ୍ରହ୍ମପୁର ଓ ସମ୍ବଲପୁରରେ ମଧ୍ୟ କବିଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀ ସ୍ଥାପନ କରାଯାଇଛି ।
ଏତ୍ଦବ୍ୟତୀତ କବି ଗଙ୍ଗାଧର ମେହେରଙ୍କ ନାମରେ ୨୦୯୦ କୋଟି ଟଙ୍କାର Ganagadhar Meher Lift Canal system ଜଳସେଚନ ଯୋଜନାର କାମ ଚାଲିଛି ଏବଂ ଏହା ୨୦୨୩ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ । ସେହିପରି ସମ୍ବଲପୁର ଗଙ୍ଗାଧର ମେହେର କଲେଜକୁ ୨୦୧୫ ମସିହାରୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ଶିକ୍ଷାର ପ୍ରସାର ନିମନ୍ତେ ୪୩୦ କୋଟି ଟଙ୍କାର Odisha Gangadhar Mehera Sikhya Manak Brudhi Yojana କାର୍ଯ୍ୟକାରୀ କରାଯାଉଛି । କବି ଗଙ୍ଗାଧର ମେହେରଙ୍କର ଅମ୍ଲାନ ସ୍ମୃତିକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଗତ ୨୦ ବର୍ଷ ମଧ୍ୟରେ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ପାଇଁ ପ୍ରତିନିଧି ଦଳ ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।