ରାଉରକେଲା : ମା’ ସମଲେଶ୍ୱରୀ (ଗୁଡି) ମନ୍ଦିର କମିଟି ପକ୍ଷରୁ ପ୍ରଥମ ଥର କରି ସେକ୍ଟର-୧୭ ଟାଟା ଖେଳ ପଡିଆ ଠାରେ ପୁଷପୁନି ଭେଟଘାଟ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରଘୁନାଥପଲ୍ଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗ ଦେଇଥିଲେ । ଏହି ପୁଷପୁନି ଉତ୍ସବ ହେଲା ପଶ୍ଚିମ ଓଡିଶାର ଏକ ନିଆର ପର୍ବ । ଏହି ପର୍ବରେ କ୍ଷେତରୁ ଧାନ କାଟି ଘରକୁ ଆଣିବା ପରେ ଏହି ପର୍ବକୁ ପାଳନ କରାଯାଏ । ଆଗକାଳରୁ କଥା ଅଛି ଯେ ପୁଷପୁନି ଗୋଟିଏ ବର୍ଷ ପୁରିଲା ବୋଲି ମହାଜନ ମାନେ ତାଙ୍କର ହଳିଆ ମାନଙ୍କୁ ମେଲାଣି (ପାଉଣା) ଦେଇ ବିଭିନ୍ନ ପ୍ରକାର ପିଠା, ପଣା ଉତ୍ସବ କରି ମାଁ ସମଲେଇଙ୍କୁ ପୁଜା ଅର୍ଚ୍ଚନା କରି ପାଳନ କରନ୍ତି । ପୁରାତନ କାଳରୁ ଏହି ପ୍ରଥା ଚାଲି ଆସିଛି । ସମସ୍ତଙ୍କ ସାଙ୍ଗରେ ମିଶି ରହିବାର ପର୍ବ ହେଉଛି ପୁଷପୁନି ପର୍ବ ବୋଲି କମିଟିର ସାଧାରଣ ସମ୍ପାଦକ ଜୟଲାଲ କୁମ୍ଭାର କରିଥିଲେ । ଛୋଟ ଛୋଟ ପିଲା ମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା ଏବଂ ଶ୍ରେଷ୍ଠ ଚିତ୍ରାଙ୍କନ କରିଥିବା ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଏକ ନିଆରା ଢ଼ଙ୍ଗରେ ପିଠା ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ମା, ମାଉସୀ ମାନଙ୍କ ଦ୍ୱାରା ତିଆରି ପିଠା, ଆରିସା, ମଣ୍ଡା, ପୋଡ ପିଠା, ମିଠା ତିଆରି କରାଯାଇ ଏକ ଷ୍ଟଲରେ ସୁସଜ୍ଜିତ କରାଯାଇଥିଲା । ଶ୍ରେଷ୍ଠ ପିଠା ତିଆରି କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଯେଉଁଥିରେ କି ସ୍ଥାନୀୟ କଳାକାଳ ମାନେ ନୃତ୍ୟ, ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କମିଟି ସଭାପତି-ଦେବେନ୍ଦ୍ର ବାଗ, ଉପସଭାପତି-ପ୍ରେମ କୁମ୍ଭାର, କାର୍ଯ୍ୟକାରୀ ସଭାପତି-ହଳଦର ମହାନନ୍ଦା, ସାଧାରଣ ସମ୍ପାଦକ-ଜୟଲାଲ କୁମ୍ଭାର, ଯୁଗ୍ମ ସମ୍ପାଦକ-ରାଜେନ୍ଦ୍ର ବାଗ, ବିକ୍ରମ ମହାନନ୍ଦ, ମିଳନ ଧୀର, କୋଷାଧ୍ୟକ୍ଷ-ମରକନ୍ଦ ଲୁହା, ଉପଦେଷ୍ଟା-ମିତ୍ରଭାନୁ ମହାନନ୍ଦ, ଭାରତ ସୁନା, ଘନଶ୍ୟାମ ସୁନା ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପେ ସଂଯୋଜନା କରିଥିଲେ ଆନନ୍ଦ ସୁନା ଓ ମୋନାଲିସା ସାହୁ ।