ରାଉରକେଲା, (ସସ୍ମିତା ପ୍ରଧାନ) : ସତଭାବନା ଲକ୍ଷେଘର ସମାଜ ରାଉରକେଲାର ରୌପ୍ୟ ଜୟନ୍ତୀ ଉପଲକ୍ଷେ ନୂଆଁଖାଇ ଭେଟଘାଟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ପ୍ରଦୀପ ସୁରଝଲିଆଙ୍କ ସଭାପତିତ୍ୱ, ସମ୍ପାଦକ ଅଶ୍ୱିନୀ କୁମାର ଶାସିନୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଆର୍ଏସ୍ପିର ସିଜିଏମ୍ କୌଶିକ ସୁନ୍ୟାନୀ, ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ କୁମାର ଜି କାନେକର ଓ ମୁଖ୍ୟବକ୍ତା ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇଥିଲେ । ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ ଅନୁଷ୍ଠାନର ନୂଆଁଖାଇ ଭେଟଘାଟ ଏକ ଅନନ୍ୟ କାର୍ଯ୍ୟକ୍ରମ ତଥା ଭାଇଚାରା ବଜାୟ ରଖିବ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ କହିଲେ ଯେ, ତ୍ୟାଗ ଓ ସମର୍ପଣ ହେଉଛି ଆମ ପରମ୍ପରା । ଏହି ସଂସ୍କୃତି ଆମକୁ ଏକାଠି କରିଛି । ଆମ ଭାଷା ଓ ବେଶଭୂଷାକୁ ନେଇ ଆମେ ଗର୍ବିତ । ଏହାସହ ପ୍ଲାଷ୍ଟିକ ବ୍ୟବହାରରକୁ ହ୍ରାସ, ପରିବେଶ ରକ୍ଷା ପାଇଁ ବୃକ୍ଷରୋପଣ, ପହଁରା ଜାଣିନଥିବା ବ୍ୟକ୍ତି ନଦୀରେ ନ ଗାଧେଇବା, ସମାଜ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପ୍ରାରମ୍ଭରେ ସୁଶୀଲ କଣ୍ଟା, ରାଜଶ୍ରୀ ଗନ୍ଧା ଓ ଗୃପ ସ୍ୱାଗତ ସଂଗୀତ ଓ ଶୃତିମୟୀ ବାଙ୍କ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି କିଛି ଦିବଙ୍ଗତ ସଦସ୍ୟଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ସମାଜର ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ପ୍ରାକ୍ତନ କର୍ମକର୍ତ୍ତା, ଶିକ୍ଷାରେ ଉତ୍କର୍ଷତା, ବିଭିନ୍ନ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାକ୍ତନ ସିଆର୍ପିଏଫ୍ ଡିଆଇଜି ଦୟାନିଧି ତନ୍ତୀ, ପ୍ରାକ୍ତନ ଏନ୍ଆଇଟି ପ୍ରଫେସର ଡ଼ଃ ହୃଷୀକେଶ ନାଏକ, ମଥୁରା ତନ୍ତୀ ତଥା ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ଉପସଭାପତି ଅଶୋକ କୁମାର ବୁଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ରାମ୍ପ ସୋ, ସମ୍ବଲପୁରୀ ନୃତ୍ୟ, ଲୋକସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
Prev Post