- ଲୋୟର ସୁକତେଲ ଡେମ ନିକଟରେ ଏକ ଷ୍ଟାଡିୟମ ଓ ପାର୍କ ପାଇଁ ଦେଲେ ପ୍ରସ୍ତାବ
ବଲାଙ୍ଗିର, (କେପିଏନ୍ଏସ୍) : ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରାଜ୍ୟ ତଥା ଜିଲ୍ଲାର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ଓଡିଶାର ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି । ୪ ତାରିଖ ରାତି ଘ. ୯ ଟାରେ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ମିଶ୍ରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନାରେ ବିଶେଷ କରି ୩ ତାରିଖ ଦିନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଆସାମ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟଙ୍କ ସ୍ମୃତି ରକ୍ଷା ପାଇଁ ସ୍ମୃତି କମିଟି ତରଫରୁ ଶ୍ରୀ ମିଶ୍ର ହସ୍ତାନ୍ତର କରିଥିବା ପ୍ରସ୍ତାବ ଉପରେ ଗୁରୁତର ସହ ଆଲୋଚନା ହୋଇଥିଲା । ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଯିଏକି ରାଜ୍ୟର ପ୍ରଥମ ଥର ପାଇଁ ସ୍ଥିର ସରକାର ଦେବା ସହ ରାଜ୍ୟରେ ଶିଳ୍ପାୟନର ମୂଳଦୁଆ ପକାଇଥିଲେ, ସେପରି ମୁଖ୍ୟମନ୍ତ୍ରୀଙ୍କ ସ୍ମୃତି ରକ୍ଷା ପାଇଁ କୌଣସି ବି ସରକାର ଆଜି ପର୍ଯ୍ୟନ୍ତ ଉଦ୍ୟମ କରିନଥିଲେ । ଏଥି ପାଇଁ ଗତ ୩ ତାରିଖରେ ହୋଇଥିବା ଜାନକୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ସମାରୋହରେ ଏକ ପ୍ରସ୍ତାବ ଶ୍ରୀ ମିଶ୍ର ସ୍ମୃତି କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏଥିରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ହାତରେ ତାଙ୍କ ସମୟରେ ଆରମ୍ଭ ହୋଇଥିବା କଳିଙ୍ଗ ଷ୍ଟାଡିୟମ, ଏକାମ୍ର ଉଦ୍ୟାନ ଏବଂ ଭୁବନେଶ୍ୱର ରେଳ ଷ୍ଟେସନକୁ ଜାନକୀ ବଲ୍ଲଭଙ୍କ ନାଁରେ ନାମିତ କରି ତାଙ୍କ ସ୍ମୃତି ରକ୍ଷା କରାଯାଉ ବୋଲି ପ୍ରସ୍ତାବ କରାଯାଇଥିଲା । ଏହା ସହ ଲୋୟର ସୁକତେଲ ପ୍ରକଳ୍ପ ନିକଟରେ ଥିବା ଖେଳ ପଡିଆକୁ ଏକ ପୂର୍ଣ୍ଣାଙ୍ଗ ଷ୍ଟାଡିୟମ ରୂପେ ନିର୍ମାଣ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ର ଦେଇଥିଲେ । ଏହି ଅଂଚଳର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ୟାନ ନିର୍ମାଣ ପାଇଁ ଆସିଥିବା ଅନୁଦାନ ଫେରି ଯାଇଥିବାରୁ ସେହି ଅନୁଦାନରେ ପୁଣି ଲୋୟର ସୁକତେଲ ଅଂଚଳର ସୌନ୍ଦର୍ଯ୍ୟିକରଣ ବୃଦ୍ଧି ପାଇଁ ଉଦ୍ୟାନ କାମ ଆରମ୍ଭ କରାଯାଉ ବୋଲି ଶ୍ରୀ ମିଶ୍ର ମୋହନ ଚରଣ ମାଝିଙ୍କୁ ଅନୁରୋଧ କରିଥିଲେ । ଜାନକୀ ବଲ୍ଲଭଙ୍କ ସ୍ମୃତି ରକ୍ଷା ପ୍ରସ୍ତାବ ତଥା ଲୋୟର ସୁକତେଲରେ ଏକ ଷ୍ଟାଡିୟମ ଓ ଉଦ୍ୟାନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ସକରାତ୍ମକ ଭାବେ ଗ୍ରହଣ କରିଥିବା ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ପୂର୍ବତନ ଆଇନମନ୍ତ୍ରୀ ନରସିଂହଙ୍କ ମଧ୍ୟରେ ଦୀର୍ଘ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ଧରି ଏହି ପ୍ରକଳ୍ପ ଗୁଡିକୁ ନେଇ ଆଲୋଚନା ହୋଇଥିବା ପ୍ରକାଶ ।