ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ବ୍ଲକ ସଦର ମହକୁମା ଠାରୁ ୪୦ କିମି ଦୁରରେ ଥିବା ଏକ ଉପାନ୍ତ ଗାଁ ରେଙ୍ଗାଲି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରେଙ୍ଗାଲି ଗ୍ରାମରେ ନୂଆଖାଇ ଭେଟ୍ଘାଟ୍ ପାଳିତ ହୋଇଯାଇଛି । ମାତ୍ର ଏଥର ନୂଆଁଖାଇ ଭେଟ୍ଘାଟ୍ ସ୍ଵତନ୍ତ୍ର ଓ ଅନନ୍ୟ ଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଶିଶୁ କଳାକାରମାନଙ୍କ ସହ ଛାତ୍ରଛାତ୍ରୀମାନଙ୍କ ହାତରେ ମଞ୍ଚ ନ୍ୟସ୍ତ ଥିଲା । ଏପରିକି ସେମାନଙ୍କ ଉଦ୍ଦେଶ୍ୟରେ ହିଁ ଏ ସ୍ଵତନ୍ତ୍ର ମଞ୍ଚ ନିର୍ମାଣ କରାଯାଇଥିଲା । ମଞ୍ଚରେ ବସିଥିବା ଅତିଥି ଭାଷଣ ଅପେକ୍ଷା ଉତ୍ସାହିତ ତଥା ପୁରସ୍କୃତ କରିବା ପାଇଁ ହିଁ ଥିଲେ । ସୁଶ୍ରୀ ପ୍ରତିଭା ସାହୁ, ପ୍ରତୀକ୍ଷା ସାହୁ, ରିଷବ ପାତ୍ର, ଦେଵାନ୍ ପୋଢ଼, ଲିପ୍ସା ବଗର୍ତ୍ତି, ଅର୍ପିତା ସା, ଅର୍ପଣ ସା ପ୍ରମୁଖ ମଞ୍ଚ ପରିଚାଳନା କରୁଥିବା ବେଳେ ଭଲ ଭାବରେ କଥା ଶିଖିନଥିବା ବର୍ଷେ ଦୁଇ ବର୍ଷର ପୁଅ ଝିଅଙ୍କ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ୪୫ ଜଣ ଶିଶୁ ମଞ୍ଚକୁ ଯାଇ ନିଜ ପରିଚୟ ଦେବା ସହ ନୂଆଖାଇ ବାବଦରେ ପଦେ ଦି ପଦ କଥା କହିଥିଲେ । ନୂଆଁଖାଇ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାର କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇ ଥିଲା ମାତ୍ର ତାହା ଯେ, କେବଳ ମଞ୍ଚରେ ଥିବା ଅତିଥିମାନେ କରିଥିଲେ ତାହା ନୁହେଁ, ଗାଁର ଉନ୍ନତି ଦିଗରେ କାମ କରୁଥିବା, ଗାଁର ଭଦ୍ରବ୍ୟକ୍ତି ତଥା ଗାଁର ଯୁବକ ଯେଉଁମାନେ ଗାଁରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ସେମାନେ ମଧ୍ୟ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଗାଁର ଦଶମ ଏବଂ ଦ୍ଵାଦଶ ଟପ୍ପରଙ୍କୁ ନିଜ ମା’ ବାପାଙ୍କ ସହ ମଞ୍ଚରେ ପୁରସ୍କୃତ ଓ ଉତ୍ସାହିତ କରାଯାଇଥିଲା । ସବୁଠାରୁ ବିଶେଷ ଆକର୍ଷିତ କରିଥିଲା ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀଙ୍କ ସ୍କୁଲରେ ଉପସ୍ଥାନ ଅଧିକ ଅଛି ସେହି ଦଶ ଜଣଙ୍କୁ ପୁରସ୍କୃତ କରି ଉତ୍ସାହିତ କରିବା ସହ ଶିକ୍ଷା ପ୍ରତି ଲୋକଙ୍କୁ ସଚେତନ କରିବା । ଅର୍ଥ ଅଭାବରୁ ରେଙ୍ଗାଲି ଗ୍ରାମର କୌଣସି ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିବ ହେବେ ନାହିଁ ଏହା ନୂଆଁଖାଇ ଭେଟ୍ଘାଟ୍ କମିଟି ଘୋଷଣା କରିଥିଲା । କେବଳ ଶିକ୍ଷା ପ୍ରତି ଉତ୍ସାହିତ କରିବା ଏତିକିରେ କମି ନଥିଲା ଯେଉଁ ଛାତ୍ର ଛାତ୍ରୀ ବ୍ଲକ ସ୍ତରରେ ଏବଂ ଜିଲ୍ଲା ସ୍ତରରେ ଟପ୍ପର ହେବେ ତାଙ୍କୁ ମଧ୍ୟ ୧୦ ହଜାର, ୨୦ ହଜାର ଅର୍ଥ ରାଶି ପୁରସ୍କାର ଦିଆଯିବ ବୋଲି ମୋର ଗାଁ ରେଙ୍ଗାଲି ତରଫରୁ ଘୋଷଣା କରାଯାଇଥିଲା । ନୂଆଁଖାଇ ଦିନ ଗାଁକୁ ଆହୁରି ସୁନ୍ଦର କରିବା ପାଇଁ ଏକ ଝୋଟି ପ୍ରତିଯୋଗିତା ମଧ୍ୟ କରଯାଇ ପ୍ରଥମ ତିନିଜଣ ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା । ମନୋରଞ୍ଜନ କାର୍ଯ୍ୟକ୍ରମରେ ରେଙ୍ଗାଲି ଗାଁର କୁନି କୁନି କଳାକାରମାନେ ଅଂଶ ଗ୍ରହଣ କରି ଦର୍ଶକଙ୍କୁ ଚମତ୍କୃତ କରିଦେଇଥିଲେ । ରେଙ୍ଗାଲି ଗ୍ରାମରେ ଏପରି ଅଭିନବ ପ୍ରୟାସକୁ ମୁଖ୍ୟ ଅତିଥି ଉଦୟ ସିଂ ଠାକୁର ପ୍ରେରଣଦାୟୀ ବୋଲି କହିବା ସହିତ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ।