ଭୀମ ଭୋଇ ମେଡିକାଲ କଲେଜ : ସଂନ୍ଧ୍ୟା ୫ ସୁଦ୍ଧା ଖୋଲୁନି ନିଦାନ ବିଭାଗ, ରୋଗୀ ପାଇ ପାରୁ ନାହାନ୍ତି ଉପଯୁକ୍ତ ଚିକିତ୍ସା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସଂନ୍ଧ୍ୟାରେ ଭୀମ ଭୋଇ ମେଡିକାଲ ନିଦାନ ବିଭାଗ ସାମ୍ନାରେ ରୋଗୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ପଚରା ଯିବାରୁ ସଂନ୍ଧ୍ୟା ୫ଟା ସୁଦ୍ଧା ନିଦାନ ବିଭାଗ ଖୋଲି ନଥିବାରୁ ରୋଗୀ ଓ ପରିଜନ ଦୁଇ ଘଣ୍ଟା କାଳ ହେବ ଟେଷ୍ଟ ରିପୋର୍ଟର ଅପେକ୍ଷା କରି ଲାଇନ୍ ବାନ୍ଧି ଜଗି ରହିଥିବା ଅଭିଯୋଗ କରିଥିଲେ । ସୂଚନା ଅନୁସାରେ, ସକାଳୁ ଆଉଟ୍ଡୋର ଖୋଲୁ ଖୋଲୁ ଡାକ୍ତରମାନେ ରୋଗୀଙ୍କୁ ଦେଖିବା ପରେ ରୋଗର ନିର୍ଦ୍ଧାରଣ ପାଇଁ ରୋଗୀଙ୍କୁ ବିଭିନ୍ନ ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେଇଥାନ୍ତି । ପରୀକ୍ଷା ଫଳ ଆସିବା ପରେ ରିପୋର୍ଟ ମୁତାବକ ରୋଗୀଙ୍କୁ ଔଷଧ ଦିଅନ୍ତି । ଇନ୍ଡୋର ରୋଗୀଙ୍କ ଅବସ୍ଥା ମଧ୍ୟ ସମାନ । ଡାକ୍ତର ରାଉଣ୍ଡରେ ଆସି ରୋଗୀଙ୍କୁ ଆବଶ୍ୟକତା ମୁତାବକ ଟେଷ୍ଟ କରିବାକୁ ପରାମର୍ଶ ଦିଅନ୍ତି । ରିପୋର୍ଟ ଆସିଲା ପରେ ଚିକିତ୍ସା ଆରମ୍ଭ ହୁଏ । କିନ୍ତୁ ପ୍ରତିଦିନ ରିପୋର୍ଟ ଆସୁ ଆସୁ ସନ୍ଧ୍ୟା ପାଇଯିବା ନୀତି ଦିନିଆ କଥା ଓ ସେ ପର୍ଯ୍ୟନ୍ତ ଡାକ୍ତରମାନଙ୍କ କାର୍ଯ୍ୟ ଅବଧି ସମାପ୍ତ ହୋଇଯାଏ । ଫଳରେ ମେଡିକାଲ ଆସିବା ପରେ ମଧ୍ୟ ଅନେକ ରୋଗୀ ଚିକିତ୍ସିତ ନହୋଇ ନିଜ ଗାଁକୁ ଫେରି ଯାଆନ୍ତି । ସେହିପରି ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ ଚିକିତ୍ସା ପାଇଁ ସଂନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡେ । ସେ ଭିତରେ କୌଣସି ରୋଗୀ ଗୁରୁତର ଥିଲେ, ଉପଯୁକ୍ତ ଚିକିତ୍ସା ନପାଇ ତା’ର ଜୀବନ ଚାଲିଯିବା ମଧ୍ୟ ନଜିର ରହିଛି । ତେବେ, ନିଦାନ ବିଭାଗ ବାରମ୍ବାର ଘଣ୍ଟିଏ ଦୁଇ ଘଣ୍ଟା ବିଳମ୍ବରେ ଖୋଲୁଥିବା ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସୁ ନଥିବା ବେଳେ ରୋଗୀ ମେଡିକାଲକୁ ଆସିବା ପରେ ମଧ୍ୟ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ପାଇ ପାରୁ ନଥିବା ପରିଜନ ମାନେ ଅଭିଯୋଗ କରିଛନ୍ତି । ଅନ୍ୟପଟେ, ଘରୋଇ ପରୀକ୍ଷା କେନ୍ଦ୍ରମାନଙ୍କୁ ରୋଗୀ ଯୋଗାଇଦେବା ପାଇଁ ଏହା ଏକ ସୁଚିନ୍ତିତ ଯୋଜନା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।