ବଲାଙ୍ଗିର, (କେପିଏନ୍ଏସ୍) : କାଳେ କାଳେ ପ୍ରେମ ଅନ୍ଧ । ପ୍ରେମ ମାନେନା ବୟସ, ଜାତି, ଗୋତ୍ର, ସ୍ଥାନ, କାଳ, ପାତ୍ର । ଏମିତି ବି ହୁଏ ପ୍ରେମ । ୫୦ ବର୍ଷୀୟା ଭାଉଜଙ୍କୁ ନେଇ ଚମ୍ପଟ୍ ମାରିଛି ଦିଅର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ତବଲ୍ବାଞ୍ଜି ଅଞ୍ଚଳରେ । ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ରାଜେନ୍ଦ୍ର ବିଭାର ୨୫ ବର୍ଷ ତଳେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଗେଡ଼ାବାଞ୍ଜି ଗାଁର ଉତ୍ତମ କୁମ୍ଭାରଙ୍କ ଝିଅ କାଞ୍ଚନଙ୍କୁ ବିବାହ କରିଥିଲେ । ତାଙ୍କର ୩ ଗୋଟି ସନ୍ତାନ ଅଛନ୍ତି, ଝିଅ ଅଞ୍ଜଳିକୁ ୨୨ ବର୍ଷ ହେଉଥିବା ବେଳେ, ଦୁଇ ଭାଇ କୁନା, ମୁନାଙ୍କୁ ୧୯ ବର୍ଷ ଏବଂ ୧୭ ବର୍ଷ ହେଉଛି । ଗତ କିଛିମାସ ତଳେ ଜୁଗିନ୍ଦ୍ର ସହ କାଞ୍ଚନର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଜୁଗୀନ୍ଦ୍ର ମଧ୍ୟ ଆଗରୁ ବିବାହ କରିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଦେହାନ୍ତ ହୋଇଯାଇଛି । ଜୁଗିନ୍ଦ୍ରଙ୍କ ୪ ଗୋଟି ପୁଅ ଝିଅ, ସମସ୍ତଙ୍କ ବିବାହ ସମ୍ପନ୍ନ ହୋଇଯାଇଛି । ଗତ କିଛଦିନ ତଳେ ରଜେନ୍ଦ୍ରଙ୍କ ସ୍ତ୍ରୀ କାଞ୍ଚନ ମା’ଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା କହି ତାଙ୍କ ଗାଁ ଗେଡ଼ାବାଞ୍ଜି ଚାଲିଯାଇଥିଲେ । ସେଠାରୁ କାଞ୍ଚନ ଗତ ମାସ ୧ ତାରିଖ ଦିନ ଜୁଗୀନ୍ଦ୍ରଙ୍କ ସହ ଫେରାର ମାରି ଝାରସୁଗୁଡ଼ା ଚାଲି ଯାଇଥିଲେ । କିଛି ଦିନ ସେଠାରେ ରହିବା ପରେ ପୁଣି କାଞ୍ଚନ ଓ ଜୁଗୀନ୍ଦ୍ର ଗେଡ଼ାବାଞ୍ଜି ଫେରି ଆସିଥିଲେ । ସେଠାରେ ସେମାନେ ସ୍ଵାମୀ ସ୍ତ୍ରୀ ଭାବରେ ରହି ଆସୁଛନ୍ତି । ଦୁଇ ଜଣଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ନ ମାନିବାରୁ ସ୍ୱାମୀ ରାଜେନ୍ଦ୍ର ଏନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଏପଟେ ସ୍ଵାମୀ ରାଜେନ୍ଦ୍ର କୋହଭରା କଣ୍ଠରେ କହିଛନ୍ତି ପିଲାମାନେ ଘରେ ଏକା ଅଛନ୍ତି ଫେରିଆସ ।
Prev Post