୨ ବର୍ଷ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ : ଅଣଦେଖା କରୁଥିବା ଅଭିଯୋଗ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାସକଲା ପଞ୍ଚାୟତର ଆଦିବାସୀ ଲୋକମାନେ ବାର୍ଦ୍ଧକ୍ୟ ଭତ୍ତା ନିମନ୍ତେ ପଞ୍ଚାୟତରୁ ବ୍ୟାଙ୍କ ଓ ବ୍ୟାଙ୍କରୁ ପଞ୍ଚାୟତକୁ ଚକ୍କର କାଟୁଥିବା ଅଭିଯୋଗ ହେଉଥିବା ଜଣାପଡିଛି । ଅତି ଦୁଃଖର ବିଷୟ ଯେ, ଦୀର୍ଘ ୨ ବର୍ଷ ହେବ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ରାସକଲା ପଞ୍ଚାୟତର ଟଗା ପଦର ଗ୍ରାମର ଭତ୍ତା ହିତାଧିକାରୀମାନେ ଭତ୍ତାରୁ ବଞ୍ଚିତ ରହିଥିବା ଅଭିଯୋଗ କରିଛନ୍ତି । ଅଭିଯୋଗକାରୀ ହେଉଛନ୍ତି ଟିବୁ କିଲ୍ଲାକା, ମୁଣ୍ଡି କିଲାକା, ଟିପିଡି କିଲାକା, କିରିଚୁ କିଲାକା ଓ ଅନ୍ୟ ଭତ୍ତା ହିତାଧିକାରୀମାନେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ଖବର ଅନୁସାରେ ଜଣା ପଡ଼ିଛି ଯେ, ଉକ୍ତ ବୃଦ୍ଧବୃଦ୍ଧାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତି ମାସରେ ନଗଦ ଟଙ୍କା ପାଉଥିଲେ କିନ୍ତୁ ଯେଉଁ ଦିନ ଠାରୁ ରାଜ୍ୟ ସରକାର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ପଠାଇବା ବ୍ୟବସ୍ଥା ଆରମ୍ଭ କଲେ ସେହିଦିନ ଠାରୁ ଟଙ୍କା ପାଇ ପାରୁ ନାହାଁନ୍ତି ବୋଲି କହିଛନ୍ତି । ବାରମ୍ବାର ପଞ୍ଚାୟତକୁ ଯାଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାସ୍କର ଲୀମାଙ୍କୁ ପଚାରିଲେ ସେ ତୁମ ଆକାଉଣ୍ଟରେ ଟଙ୍କା ଯାଇଛି କହି ଫେରାଇ ଦେଉଛନ୍ତି । ବ୍ୟାଙ୍କ ଯାଇ ଅଧିକାରୀଙ୍କୁ ପଚାରିଲେ ଟଙ୍କା ଆସିନି କହୁଛନ୍ତି । ସ୍ଥାନୀୟ ସରପଞ୍ଚଙ୍କ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ ଜଣାଇଛନ୍ତି କିନ୍ତୁ ଏମାନଙ୍କର ଦୁଃଖ କି ଗୁହାରୀ ବୁଝି ପାରୁନାହାଁନ୍ତି । କେବଳ ଖାଲି ହାତରେ ନିରାଶ ହୋଇ ଫେରୁଛନ୍ତି । ସୂଚନା ଅନୁସାରେ କେବଳ ଏହି ଗ୍ରାମରେ ନୁହେଁ ବ୍ଲକର ଅନେକ ଗ୍ରାମରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି । ତେବେ ଖବର ପ୍ରସାରଣ ପରେ ଏମାନଙ୍କୁ ଭତ୍ତା ମିଳିବ କି ନାହିିଁ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.