“ସଂସଦ ହେଉଛି ଗଣତନ୍ତ୍ରର ପବିତ୍ର ମନ୍ଦିର” : ରାଜ୍ୟସଭାରେ ନିରଞ୍ଜନ ବିଶିଙ୍କ ଶକ୍ତିଶାଳୀ ଭାଷଣ

  • ପଲ୍ଲୀରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ – ସଂବିଧାନ ମୂଲ୍ୟବୋଧର ସପକ୍ଷରେ ନିରଞ୍ଜନ ବିଶି
  • ଦେଶରେ ସମାଜର ଶେଷଧାଡ଼ିର ଶେଷ ଲୋକ ପର୍ଯ୍ୟନ୍ତ ବିକାଶ ପହଞ୍ଚିବା ଦରକାର – ରାଜ୍ୟସଭାରେ ନିରଞ୍ଜନ ବିଶିଙ୍କ ଦୃଢ଼ ବାର୍ତ୍ତା
  • କୃଷକ, ଶ୍ରମିକ, ଗରିବ ଓ ଆଦିବାସୀ ଦଳିତଙ୍କ ପାଇଁ ଲଢ଼େଇ – ରାଜ୍ୟସଭାରେ ନିରଞ୍ଜନ ବିଶିଙ୍କ ଗରିମାମୟ ଭାଷଣ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସର୍ବୋଚ୍ଚ ସଦନରେ ତାଙ୍କର ଭାବବିହ୍ୱଳ ବିଦାୟ ଭାଷଣ ଦେଇ ଦେଶ ସେବାର ସୁଯୋଗ ପାଇଁ ଗଭୀର କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ସଂବିଧାନ ମୂଲ୍ୟବୋଧ, ସାମାଜିକ ନ୍ୟାୟ ଓ ଗରିବ, କୃଷକ, ଶ୍ରମିକ ଓ ଅବହେଳିତ ବର୍ଗଙ୍କ କଳ୍ୟାଣ ପାଇଁ ସଦା କାମ କରିବାର ସଂକଳ୍ପ କରିଥିଲେ । ସଦନକୁ ସମ୍ବୋଧନ କରି ଶ୍ରୀ ବିଶି କହିଥିଲେ ଯେ, ଭାରତର ସଂସଦ କେବଳ ଆଲୋଚନାର ମଞ୍ଚ ନୁହେଁ, ଏହା ଲୋକତନ୍ତ୍ରର ପବିତ୍ର ମନ୍ଦିର । ବିଶ୍ୱର ସର୍ବବୃହତ୍ ଲୋକତାନ୍ତ୍ରିକ ଦେଶ ଭାରତରେ ସଂବିଧାନର ପ୍ରସ୍ତାବନାରେ ଉଲ୍ଲେଖିତ “ଆମେ ଭାରତର ଲୋକ”ଙ୍କ ଆଶା ଆକାଂକ୍ଷା ସଂସଦରେ ଧ୍ୱନି, ଦିଗ ନିର୍ଦ୍ଦେଶ ଓ କାର୍ଯ୍ୟନ୍ୱୟନ ବୋଲି ସେ କହିଥିଲେ । ରାଜ୍ୟସଭାରେ ଦେଶର ତଥା ରାଜ୍ୟର ପ୍ରସଙ୍ଗ, ଦାବୀ ସମସ୍ୟା ଉଠାଇବା, ଆଲୋଚନା କରିବା, ସରକାରଙ୍କୁ ପରାମର୍ଶ ଦେବା ଜୀବନର ସର୍ବୋଚ୍ଚ ସମ୍ମାନ ବୋଲି ଉଲ୍ଲେଖ କରିଥିଲେ । ଡ଼ା. ବି. ଆର୍. ଆମ୍ବେଦକରଙ୍କ ନେତୃତ୍ୱରେ ପ୍ରାଣିତ ଭାରତୀୟ ସଂବିଧାନର ଆଦର୍ଶକୁ ସ୍ମରଣ କରି ଶ୍ରୀ ବିଶି କହିଥିଲେ ଯେ, ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନ୍ୟାୟ, ସ୍ୱାଧୀନତା, ସମତା ଓ ଭାଇଚାରାର ମୂଲ୍ୟବୋଧକୁ ଅଗ୍ରସର କରିବା ପାଇଁ ପ୍ରୟାସ କରିଛନ୍ତି ଏବଂ ବିଶେଷ କରି ଆଦିବାସୀ, ଅନୁସୂଚିତ ଜାତି, କୃଷକ, ଶ୍ରମିକ, ମହିଳା ଓ ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ ସ୍ୱର ସଦନରେ ଉଠାଇଥିଲେ । ଓଡ଼ିଶାର ଆଦିବାସୀ ନେତା ଭାବେ ସେ କହିଥିଲେ ଯେ, ସଂସଦରେ ତାଙ୍କର ଉପସ୍ଥିତି ଗ୍ରାମାଞ୍ଚଳ, ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପ୍ରତିନିଧିତ୍ୱର ଜ୍ୱଳନ୍ତ ଉଦାହରଣ । ରାଜ୍ୟସଭାରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଦେଶର ତଥା ରାଜ୍ୟର ଆଦିବାସୀ ଅଧିକାର ସୁରକ୍ଷା, ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣ, ପଛୁଆ ଅଞ୍ଚଳର ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନା ଗମନ, ପାନୀୟ ଜଳ, ଭିତ୍ତିଭୂମି ବିକାଶ ଓ ଉନ୍ନୟନ ଯୋଜନାର ସୁଦୃଢତା, ରେଳୱେ, ସାଇବର ଅପରାଧ, ଦରଦାମ ନିୟନ୍ତ୍ରଣ, ବେକାରୀ ସମସ୍ୟା, କର୍ମନିଯୁକ୍ତି ଭଳି ମହତ୍ୱପୂର୍ଣ୍ଣ ବିଷୟ ସଦନରେ ଉଠାଇଥିଲେ । ସେ ଅନୁସୂଚିତ ଜନଜାତିଙ୍କ ସଂବିଧାନିକ ଅଧିକାର ସୁରକ୍ଷା ପାଇଁ ମଧ୍ୟ ଦୃଢ଼ ଭାବେ ମତ ପ୍ରକାଶ କରିଥିଲେ । ସେ ଏହି ସୁଯୋଗରେ ବିଜେଡି ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ଦକ୍ଷ ଶାସନ, ଦୃଢ଼ ନେତୃତ୍ୱ, ସ୍ୱଚ୍ଛ ଶାସନ ଓ ଲୋକକଲ୍ୟାଣ ପ୍ରତି ଅତୁଟ ସମର୍ପଣ ପାଇଁ ଧନ୍ୟବାଦ ଜଣାଇଥିଲେ । ଶ୍ରୀ ବିଶି ରାଜ୍ୟସଭାର ସଭାପତି, ଉପସଭାପତି, ଉପସଭାପତି ପ୍ୟାନେଲ ସଦସ୍ୟ, କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ, ସମସ୍ତ ଦଳର ନେତାଗଣ, ସଂସଦ ସଦସ୍ୟଗଣ ଓ ରାଜ୍ୟସଭା ସଚିବାଳୟର ମହାସଚିବ, ଅଧିକାରୀ ଓ କର୍ମଚାରୀମାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ । ଶେଷରେ ସେ କହିଥିଲେ ଯେ, ଭାରତର ଷକ୍ତି ଦେଶର ଗାଁ, ଗରିବ ଯୁବକ, କୃଷକ, ଶ୍ରମିକ ଓ ଆଦିବାସୀ ସମାଜରେ ରହିଛି ଏବଂ ସଂବିଧାନ ପ୍ରଣେତା ବାବାସାହେବ ଡ଼. ଆମ୍ବେଦକରଙ୍କ ଆଦର୍ଶ ଅନୁସାରେ ବିକାଶ ଯୋଜନା, ସାମାଜିକ ଅର୍ଥନୈତିକ ପ୍ରଗତି ଓ ନ୍ୟାୟ ସମାଜର ଶେଷଧାଡ଼ିରେ ଥିବା ଶେଷ ଲୋକ ପର୍ଯ୍ୟନ୍ତ ପହଞ୍ଚିବା ଦରକାର ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.