ଭାଷା ଗୋଟିଏ ଜାତିର ପରିଚୟ ଓ ଜ୍ଞାନର ମୁଖ୍ୟ ମାଧ୍ୟମ : ଭାଷାବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ୨ଦିନିଆ ଜାତୀୟସ୍ତରର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇ ଯାଇଛି । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ଆୟୋଗ ପକ୍ଷରୁ ଆୟୋଜିତ ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଷାବିତ ପଦ୍ମଶ୍ରୀ ଡଃ.ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗଦେଇ ଭାଷା ଗୋଟିଏ ଜାତିର ପରିଚୟ ଓ ଭାଷା ବିନା ସବୁ ଦୁର୍ବଳ ବୋଲି କହିଥିଲେ । ଭାଷା କେବଳ ଗୋଟିଏ ବିଷୟ ନୁହେଁ ଏହା ଜ୍ଞାନର ମୁଖ୍ୟ ମାଧ୍ୟମ । ବୈଜ୍ଞାନିକ ଓ ବୈଷୟିକ ପ୍ରୟୋଗ ଓ ଉପଯୋଗ ଦ୍ଵାରା ଭାଷା ସମୃଦ୍ଧ ହେବ । ସେହିପରି ଅନୁବାଦ ଦ୍ଵାରା ଭାଷାର ପ୍ରଚାର ପ୍ରସାର ସହଜ ହୋଇପାରିବ । ତେଣୁ ଶିକ୍ଷା କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ଉପଯୋଗୀତା ଅତ୍ୟନ୍ତ ଜରୁରୀ । ଏହା ଦ୍ୱାରା ଭାଷାର ତଥ୍ୟ ସଂଗ୍ରହ, ସଂରକ୍ଷଣ, ପ୍ରବାହ ଓ ପ୍ରୟୋଗ ସହଜ ହୋଇପାରିବ ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଧ୍ୟକ୍ଷ ପ୍ରଫେସର ଗିରିଶ ନାଥ ଝା ବିସ୍ତୃତ ସୂଚନା ଦେଇ ଓଡ଼ିଆ ଭାଷା ଭାରତର ଏକ ପ୍ରାଚୀନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଭାଷା । ଏହାର ମନ୍ଦିର ଓ ସ୍ଥପତିରେ ଭାଷାର ପ୍ରୟୋଗ ଅତ୍ୟନ୍ତ ପ୍ରାଚୀନ । ତେଣୁ ବର୍ତ୍ତମାନ ବୈଜ୍ଞାନିକ ଓ ବୈଷୟିକ ପ୍ରକ୍ରିୟାରେ ଏହାକୁ ପରିବ୍ୟାପ୍ତ ଏବଂ ସୁରକ୍ଷିତ ପାଇଁ ଏହି ପ୍ରଶିକ୍ଷଣ ସହାୟକ ହୋଇପାରିବ ବୋଲି କହିଥିଲେ । ପୂର୍ବତନ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶଙ୍କର ପରିଡା, ବ୍ଲକ ଶିକ୍ଷା ଅଧିକାରୀ ବିନୋଦ ପରମାଣିକ, ପ୍ରଫେସର କେ ବିଜୟ ଶଙ୍କର ସମସ୍ତ ବିକାଶର ଆଧାର ଭାଷା ହୋଇଥିବାରୁ ଭାଷାର ସୁରକ୍ଷା ଓ ସଂରକ୍ଷଣ ପାଇଁ ଏହି ଭଳି କର୍ମଶାଳା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସୁଶ୍ରୀ ସଂଧ୍ୟାବତୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଫେସର ଶଶାଙ୍କ ଚୁଡାମଣି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ, ସିଏ.ସ.ଟି.ଟିର ସହ ନିର୍ଦ୍ଦେଶିକା ବିନୋଦିନୀ ଦେବୀ ପ୍ରାରମ୍ଭିକ ସୂଚନା ଓ ମର୍ସୀମା ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବିଦ୍ୟାଳୟର ସଭାପତି ସବିତା ଦାସ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ. ଆଭାଞ୍ଜଳୀ ଶତପଥୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପରେ ବିବର୍ତ୍ତନର ଗ୍ରହଣୀୟତା ଏବଂ ଓଡ଼ିଆରେ ବୈଜ୍ଞାନିକ ଏବଂ ବୈଷୟିକ କମ୍ପନ ଗୁଡିକର ଆହ୍ଵାନ, ବିଦ୍ୟାଳୟ ଶିକ୍ଷାରେ ଭାଷା ତତ୍ତ୍ୱର ପ୍ରୟୋଗ ଏବଂ ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷାରେ ଜଗତୀକରଣର ପ୍ରଭାବ ସମ୍ପର୍କରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.